ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ଭୁବନେଶ୍ୱର : ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ସିବିଏସ୍‌ଇ ପକ୍ଷରୁ ହୋଇଥିବା ଜେଇଇ ମେନ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସାରା ଦେଶରୁ ୧୧ଲକ୍ଷ ୩୫ହଜାର ୮୪ ଜଣ ଛାତ୍ରଛାତ୍ରୀ ଅନଲାଇନ୍‌ ଓ ଅଫଲାଇନ୍‌ରେ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୨ଲକ୍ଷ ୩୧ହଜାର ୨୪ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ମେ ୨୦ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବ। ଏଥିପାଇଁ ମେ ୨ରୁ ପଞ୍ଜୀକରଣ ହେବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ସିବିଏସ୍‌ଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଏପ୍ରିଲ ୮ତାରିଖରେ ଜେଇଇ ମେନ୍‌ ଅଫଲାଇନ୍‌ ପରୀକ୍ଷା ଦେଇଥିବା ବେଳେ ଏପ୍ରିଲ ୧୫ ଓ ୧୬ରେ ଅନଲାଇନ୍‌ରେ ପରୀକ୍ଷା ହୋଇଥିଲା। ଏଥିରେ ଓଡ଼ିଶାରୁ ୪୪,୪୪୮ଜଣ ଛାତ୍ରଛାତ୍ରୀ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ପରୀକ୍ଷା ଦେଇଥିଲେ। କିନ୍ତୁ କେତେଜଣ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ତାହା ଜଣାପଡ଼ିନି ବୋଲି ଓ-ଜେଇଇ ସେଲ୍‌ ପକ୍ଷରୁ କୁହାଯାଇଛି।

ଜେଇଇ ଆଡଭାନ୍ସରେ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀ ଦେଶର ସମସ୍ତ ଆଇଆଇଟି ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ। ବାକି ର‍୍ୟାଙ୍କଧାରୀମାନେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇପାରିବେ। ଜେଇଇ ମେନ୍‌ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ମିଳିବ ବୋଲି ଜଣାପଡ଼ିଛି।

ଓ-ଜେଇଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଏବେ ଓ-ଜେଇଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି ଚାଲିଛି। ଆମକୁ ଜେଇଇ ମେନ୍‌ ର‍୍ୟାଙ୍କଧାରୀଙ୍କ ତାଲିକା ମିଳିବା ପରେ କାଉନସେଲିଂ ସୂଚୀ ପ୍ରକାଶ ପାଇବ। ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ମେ ଶେଷ ସପ୍ତାହ କିମ୍ବା ଜୁନ୍‌ ୧ରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍‌ ଦ୍ୱିତୀୟ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଆଜି ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଛାତ୍ରଛାତ୍ରୀ jeemain.nic.in ଏବଂ cbseresults.nic.in ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।

ସମ୍ବନ୍ଧିତ ଖବର