ଜୟପୁର: ୨.୩ କ୍ୟୁଣ୍ଟାଲ୍‌ ଗଞ୍ଜାଇ ସହ ବୋଲେରୋ ଜବତ; ୩ ଗିରଫ

ଜୟପୁର: ଗତ ପାହାନ୍ତାରେ ସଦର ଥାନା ନିକଟ ଆୟକର ବିଭାଗ ଅଫିସ୍‌ ସମ୍ମୁଖରେ ଚୋରାରେ ଚାଲାଣ ହେଉଥିବା ଗଞ୍ଜାଇ ସହ ଏକ ବୋଲେରୋ ଜବତ୍‌ ହେବା ସହ ତିନି ଜଣ ଗିରଫ ହୋଇଛନ୍ତି।

ରାତି ପ୍ରାୟ ୩ଟା ବେଳେ ୨୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଜୟପୁର- ବୋରିଗୁମା ରାସ୍ତାରେ ପାଟ୍ରୋଲିଙ୍ଗ୍‌ କରୁଥିବା ସଦର ଥାନା ପୁଲିସକୁ ଦେଖି ବୋଲେରୋଟି ଦ୍ରୁତ ଗତିରେ ଯିବାକୁ ଉଦ୍ୟମ କରିଥିଲା। ପୁଲିସ୍‌ର ସନ୍ଦେହ ହେବାରୁ ସେ ବୋଲେରୋଟିକୁ ଅଟକାଇ ସେଥିରେ ଥିବା ଲୋକଙ୍କୁ ପଚରା ଉଚୁରା କରିବାରୁ କଥା ଜଣାପଡ଼ିଥିଲା।

ପଙ୍କଜ କୁମାର ପାଶଓ୍ଵାନ୍‌, ରୋହନ କୁମାର ପାଶଓ୍ଵାନ୍‌ ଏବଂ ବିକାଶ କୁମାର ସିଂହ ନାମକ ତିନି ଜଣ ବ୍ୟକ୍ତି ବୋଲେରୋ ଯୋଗେ ମାଛକୁଣ୍ଡରୁ ଗଞ୍ଜାଇ ଧରି ଛତିଶଗଡ଼ ଅଭିମୁଖେ ଯାଉଥିଲେ।

ପୁଲିସ ସେମାନଙ୍କ ଗାଡ଼ିରୁ ୨. ୩ କ୍ୟୁଇଣ୍ଟାଲ୍‌ ଗଞ୍ଜାଇ ଜବତ କରିବା ସହ ଗାଡ଼ିଟିକୁ ମଧ୍ୟ ଜବତ୍‌ କରିଛି। ଆଜି ରବିବାର ଥିବାରୁ ସକାଳେ ପୁଲିସ ଅତିରିକ୍ତ ତହସିଲ୍‌ଦାରଙ୍କୁ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ କରାଇ ତିନି ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର