ଜୟପୁର, ଉତ୍କେଳାରେ ଭିତ୍ତିଭୂମି ଯାଞ୍ଚ : ଖୁବ୍‌ଶୀଘ୍ର ବିମାନ ଉଡ଼ାଣ ନେଇ ଉଷା ପାଢ଼ୀଙ୍କ ସୂଚନା

କେସିଙ୍ଗା/ଜୟପୁର : କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନାରେ ସାମିଲ୍‌ ହୋଇଥିବା କଳାହାଣ୍ଡିର କେସିଙ୍ଗା ଓ କୋରାପୁଟର ଜୟପୁରଠାରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ କରାଯିବ। କେନ୍ଦ୍ର ସରକାରଙ୍କର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଆଜି ଉଭୟ ସ୍ଥାନରେ ଭିତ୍ତିଭୂମି ଯାଞ୍ଚ କରିଛନ୍ତି।

ଆଜି ବିଭାଗୀୟ ଯୁଗ୍ମ ସଚିବଙ୍କ ସହ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ)ର ନିର୍ବାହୀ ନିର୍ଦ୍ଦେଶକ ଭୀନିତ ଗୁଲାଟି, ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ଅଫ ଇଣ୍ଡିଆ (ବିସିଏଏସ)ର ଭି.କେ ବନ୍ଦୋପୋଧ୍ୟାୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସହ ନିର୍ଦ୍ଦେଶକ ମନୋଜ ଗାର୍ଗ ପ୍ରମୁଖ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଜୟପୁର ପହଞ୍ଚିଥିଲେ। ପ୍ରାୟ ଦୀର୍ଘ ୨ ଘଣ୍ଟା ଧରି ସମୀକ୍ଷା କରିଥିଲେ। ଯୁଗ୍ମ ସଚିବ ପାଚେରି, ଟର୍ମିନାଲ, ଜମି ଅଧିଗ୍ରହଣ, ରନେଓ୍ଵ ସଂପ୍ରସାରଣ ଆଦି ଦେଖିଥିଲେ।

ଏହାପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଉତ୍‌କେଳା ଆସି ଉଡ଼ାଜାହାଜ ପଡ଼ିଆର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ସ୍ଥିତି ପରଖିବା ସହିତ ଆବଶ୍ୟକ ବିକାଶ କରିବା ଦିଗରେ ସମୀକ୍ଷା କରିଥିଲେ। ରାଉରକେଲା ଓ ଝାରସୁଗୁଡ଼ାରୁ ବିମାନ ଉଡ଼ିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଉତ୍କେଲାରୁ ମଧ୍ୟ ବିମାନ ଉଡ଼ିବ ବୋଲି ପରୋକ୍ଷରେ ସେ ପ୍ରକାଶ କରିଛନ୍ତି। ଏହି ପଡ଼ିଆରୁ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତି ମିଳିଥିବା ବେଳେ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଉଡ଼ାଜାହାଜ ପଡ଼ିଆ ନିର୍ମାଣ ଓ ସମ୍ପ୍ରସାରଣ କାମ ଶେଷ ପାହାଚରେ ପହଞ୍ଚିଛି। ଯୁଗ୍ମ ସଚିବ ଶ୍ରୀମତୀ ପାଢ଼ୀ ଉଡ଼ାନ ତାରିଖ ନେଇ ନିର୍ଦ୍ଦିଷ୍ଟ ଭାବରେ କିଛି କହି ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏଠୁ ବିମାନ ଚଳାଚଳ କରିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର