ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା ଥିଲା ଦ୍ବୈତ ଆସନ

ଜୟପୁର : ସ୍ବାଧୀନ ଭାରତର ପ୍ରଥମ ଓ ଦ୍ବିତୀୟ ନିର୍ବାଚନ ପ୍ରକ୍ରିୟା ଥିଲା ସଂପୂର୍ଣ୍ଣ ଭିନ୍ନ। ଗୋଟିଏ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଉଥିଲେ ଦୁଇ ଜଣ ବିଧାୟକ। ପ୍ରାୟ ୭୦ବର୍ଷ ତଳେ ହୋଇଥିବା ପ୍ରଥମ ନିର୍ବାଚନରେ କୋରାପୁଟ ଜିଲ୍ଲାର ଜୟପୁର ନିର୍ବାଚନ ମଣ୍ଡଳୀରୁ ଦୁଇ ଜଣ ବିଧାୟକ ଯାଇଥିଲେ ବିଧାନସଭାକୁ। ସେଥିରେ ଜଣେ ଥିଲେ ଅନୁସୂଚିତ ଜାତି ଓ ଅନ୍ୟ ଜଣେ ଥିଲେ ସାଧାରଣବର୍ଗର। ଭିନ୍ନ ଭିନ୍ନ ବର୍ଗରୁ ପ୍ରତିନିଧିତ୍ବ କରୁଥିବା ଦୁଇ ବିଧାୟକ ଜନମାନସରୁ ପ୍ରାୟ ଉଭେଇ ଯାଇଛନ୍ତି। କିନ୍ତୁ ଗଣତାନ୍ତ୍ରିକ ଇତିହାସରେ ସେମାନଙ୍କ ନାଁ ଆଜି ବି ଲିପିବଦ୍ଧ ହୋଇ ରହିଛି।

ସ୍ବାଧୀନତା ଲାଭ କରିବା ପରେ ୧୯୫୨ ମସିହାରେ ଓଡ଼ିଶାରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା। ତତ୍କାଳୀନ ୪ନମ୍ବର ବିଧାନସଭା ଆସନ (ବର୍ତମାନ ୧୪୩ନମ୍ବର)ରେ ଦୁଇଟି ଭିନ୍ନ ଭିନ୍ନ ବର୍ଗରୁ ଦୁଇ ଜଣ ବିଧାୟକଙ୍କୁ ନିର୍ବାଚିତ କରିଥିଲେ ତତ୍କାଳୀନ ଭୋଟର। ସେତେବେଳେ ଦ୍ବୈତ ବିଧାୟକ ନିର୍ବାଚନ ନେଇ ଆଇନ ରହିଥିଲା। ଜୟପୁର ନିର୍ବାଚନ ମଣ୍ଡଳୀରେ ଜଣେ ଅନୁସୂଚିତ ଜାତି ଓ ଅନ୍ୟ ଜଣେ ସାଧାରଣ ବର୍ଗର ବିଧାୟକ ନିର୍ବାଚିତ ହେଉଥିଲେ। ଏହିକ୍ରମରେ ପ୍ରଥମ ନିର୍ବାଚନରେ ଏହି ବିଧାନସଭା ଆସନରୁ ଏକମାତ୍ର ଆଞ୍ଚଳିକ ଦଳ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଥିଲେ ଲଇଛନ ନାୟକ ଓ ହରିହର ମିଶ୍ର।

ସେହି ସମୟରେ ସମ୍ବିଧାନ ଅନୁଯାୟୀ ସବୁବର୍ଗଙ୍କୁ ସମାନ ସୁବିଧା ସୁଯୋଗ ଦିଆଯିବାକୁ ପ୍ରୟାସ କରାଯାଇଥିଲା। ଯଦିଓ ଜୟପୁର ବିଧାସସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ସେହି ସମୟରେ ଅନୁସୂଚିତ ଜାତି ତଥା ଜନଜାତିବର୍ଗରେ ଉଚ୍ଚଶିକ୍ଷିତ ତଥା ନିର୍ବାଚନ ସମ୍ପର୍କିତ ବିଧିବ୍ୟବସ୍ଥା ସମ୍ବନ୍ଧରେ ଅବଗତ ନ ଥିବାରୁ ଦୁଇଜଣ ବିଧାୟକ ନିର୍ବାଚିତ ହେଉଥିଲେ। ଜଣେ ସଂରକ୍ଷିତ ବର୍ଗରୁ ଏବଂ ଅନ୍ୟ ଜଣେ ସାଧାରଣ ବର୍ଗରୁ। କିନ୍ତୁ ଲୋକସଭା ପାଇଁ ଏଠାରୁ ଜଣେ ହିଁ ସାଂସଦ ନିର୍ବାଚିତ ହେଉଥିଲେ।

ପେଷାରେ ଲଇଛନ ନାୟକ ଜୟପୁର ରାଜାଙ୍କ କର୍ମଚାରୀ ଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ପ୍ରସିଦ୍ଧ ନାଟ ଗୁରୁ ଭାବେ ମଧ୍ୟ ପରିଚିତ ଥିଲେ। ତାଙ୍କ ସହ ସାଧାରଣ ବର୍ଗରୁ ବିଧାୟକ ହୋଇଥିବା ହରିହର ମିଶ୍ର ଥିଲେ ଜଣେ ସୁସାହିତ୍ୟିକ। ତାଙ୍କ ରଚନାରେ ସ୍ବାଧୀନତାର ବହ୍ନୀ ଜାତ ହେଉଥିଲା। ତାଙ୍କ ପ୍ରଚେଷ୍ଟାରେ ବହୁ ପୁରାତନ ସାହିତ୍ୟ ମହାସଭା କୋରାପୁଟ ଜିଲ୍ଲାରେ ହୋଇଥିଲା। ପ୍ରଥମ ବିଧାନସଭା ନିର୍ବାଚନରେ ୬ଟି ରାଷ୍ଟ୍ରୀୟ ଦଳ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଜୟପୁରର ଦୁଇ ପ୍ରଥମ ବିଧାୟକ ଅଖିଳ ଭାରତୀୟ କଂଗ୍ରେସ ଦଳକୁ କଡ଼ା ଟକ୍କାର ଦେଇଥିଲେ। ସେହି ସମୟରେ ଅବିଭକ୍ତ ‌କୋରାପୁଟକୁ ଗୋଟିଏ ନିର୍ବାଚନ ମଣ୍ଡଳୀ ଭାବେ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଖାଲି ସେତିକି ନୁହଁ ୧୯୫୭ ମସିହା ନିର୍ବାଚନରେ ମଧ୍ୟ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଥିଲେ ଲାଇଛନ ନାଏକ ଓ ହରିହର ମିଶ୍ର। କିନ୍ତୁ ଏହି ଦ୍ବୈତ ବିଧାୟକ ପ୍ରଥା ଯୁକ୍ତରାଷ୍ଟ୍ରରେ ଏବେ ବି ପ୍ରଚଳିତ ଥିବା ବେଳେ ଭାରତରେ ୧୯୬୧ରେ ସମ୍ବିଧାନ ସଂଶୋଧନ କରାଯିବାରୁ ବର୍ତମାନ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜଣେ ଲେଖାଏଁ ବିଧାୟକ ନିର୍ବାଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର