ନୀଳଗିରି ମୁହାଁ ଝାଡଖଣ୍ଡୀ ହାତୀପଲ

ହୋମ୍‌ ପାଇପରେ ପଶି ହାତୀ ମୁହଁରୁ ବର୍ତ୍ତିଲେ ଯୁବକ

ବେତନଟୀ : ମୟୂରଭଞ୍ଜ ଜିଲ୍ଲାରେ ପଶି ଆତଙ୍କ ଖେଳାଇ ଦେଇଥିବା ୪୦ ଝାଡ଼ଖଣ୍ଡି ହାତୀ ଗତ ରାତିରେ ଶୁଖିଲାଖାଳିରୁ ବାହାରି ଜାତୀୟ ରାଜପଥ, ସୁବର୍ଣ୍ଣରେଖା କେନାଲ, ରେଳ ଧାରଣା ଟପି ଶେଷରେ ଦଲକି ରିଜର୍ଭରେ ପହଞ୍ଚିଛନ୍ତି। ଏବେ ହାତୀପଲ ନୀଳଗିରି ମୁହାଁ ହୋଇଥିବା ଜଣାପଡ଼ିଛି।

ତେବେ ଏହି ହାତୀପଲ ଗତକାଲି ସର୍ବଣା ସ୍କୁଲ ପାଖ ଦେଇ ଦଲକୀ ରିଜର୍ଭକୁ ଯାଉଥିବା ବେଳେ କର୍ଣ୍ଣ ଦେହୁରୀ ନାମକ ଜଣେ ଯୁବକ ହାତୀ ହାବୁଡ଼ରେ ପଡ଼ିଥିଲେ। ସେ ଜୀବନ ବିକଳରେ ନିକଟରେ ଥିବା ଏକ ହୋମ୍‌ ପାଇପ୍‌ ମଧ୍ୟରେ ପଶି ଯାଇଥିଲେ। ତେବେ ହାତୀପଲ ଏହି ହୋମ୍‌ ପାଇପ୍‌ର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଜଗି ରହିଥିଲେ। ଖବର ପାଇ ବନ କର୍ମଚାରୀମାନେ ଆସି ହାତୀ ଘଉଡାଇ ତାଙ୍କୁ ଉଦ୍ଧାର କରିଛନ୍ତି।

ସେପଟେ ସବୁ ବର୍ଷ ପରି ହାତୀପଲ ନଡପୁର ରିଜର୍ଭ ନିକଟରେ ଧାନ ଫସଲ ନଷ୍ଟ କରୁଥିବାରୁ ଏଥର ନଡପୁର ଅଞ୍ଚଳର କିଛି ଚାଷୀ ଘଉଡ଼ାଇବା ପାଇଁ ଆଗତୁରା ତାର ବାଡ ବସାଇବା ସହ ସେଥିରେ ନିଆଁ ପେଣ୍ଡୁଳା ଖଞ୍ଜୁ ଥିବାର ଦେଖିବାକୁ ମିଳିଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବନରକ୍ଷୀ ପଦ୍ମାବତୀ ବେହେରା, ସାଇସ୍ମିତା ସେନାପତି, ରଞ୍ଜୁଲତା ପାତ୍ର, ଜୟନ୍ତୀ ପୃଷ୍ଟି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତାର ଜବତ୍‌ କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ତେବେ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ସବୁ ବର୍ଷ ହାତୀ ସେମାନଙ୍କ ଫସଲ ନଷ୍ଟ କରୁଛି ହେଲେ ବନ ବିଭାଗ ଓ ରାଜ୍ୟ ସରକାର କ୍ଷତି ପୂରଣ ଦେଉ ନାହାନ୍ତି। ତେଣୁ ହାତୀ ଯେପରି ଏଥର ଫସଲ ନଷ୍ଟ କରି ନପାରିବ ସେନେଇ ସେମାନେ ଉଦ୍ୟମ କରୁଥିବା କହିଛନ୍ତି। ଶେଷ ଖବର ସୁଦ୍ଧା ହାତୀପଲ ନୀଳଗିରି ମୁହାଁ ହୋଇଥିବାର ସୂଚନା ରହିଛି। ବେତନଟୀ ତହସିଲଦାର ଅନିଶା ଦାସ, ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବନପାଳ ସୁଶାନ୍ତ ବାଗ, ବନରକ୍ଷୀ ମଳୟ ମହାନ୍ତ, ହାତୀ ଘଉଡାଇବାର ସ୍ବତନ୍ତ୍ର ସ୍କ୍ବାର୍ଡ ହାତୀପଲର ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର