ସହିଦ ସପ୍ତାହ ଶେଷଦିନରେ ନକ୍ସଲଙ୍କ ଉନ୍ମତ୍ତକାଣ୍ଡ : ଡ୍ରାଇଭର ସହ ଟ୍ରକ୍‌ ଜାଳିଦେଲେ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଡ୍‌କୀ ଥାନା ଅଞ୍ଚଳରେ ନିଷିଦ୍ଧ ଘୋଷିତ ସିପିଆଇ (ମାଓବାଦୀ)ର କର୍ମୀମାନେ ଜଣେ ଡ୍ରାଇଭରକୁ ଗୁଳି ମାରିବା ପରେ ଟ୍ରକ୍‌ ସହ ତାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ନିହତ ଡ୍ରାଇଭରଙ୍କ ନାମ ଜାଗୋ ସିଂହ ଓ ତାଙ୍କ ଘର ପଞ୍ଜାବର ଅମୃତସର। ଟ୍ରକ୍‌ ମାଲିକ ଅମୃତସର ନିବାସୀ ସର୍ଦ୍ଦାର ତ୍ରିଲୋଚନ ସିଂହ ବୋଲି ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଆଜି ସହିଦ୍‌ ସପ୍ତାହର ଶେଷଦିନରେ ନକ୍ସଲମାନେ ଏହି କାଣ୍ଡ ଘଟାଇଛନ୍ତି। ଜୁଲାଇ ୨୮ରୁ ମାଓବାଦୀମାନେ ସହିଦ୍‌ ସପ୍ତାହ ପାଳନ କରୁଛନ୍ତି। ଆଜି ହେଉଛି ଶେଷଦିନ। ଟ୍ରକ୍‌ ଡ୍ରାଇଭର ଜାଗୋ ସିଂହ ବନ୍ଦକୁ ଅମାନ୍ୟ କରି ଗାଡ଼ି ନେଇଯାଉଥିବାରୁ ମାଓବାଦୀମାନେ ପ୍ରତିଶୋଧପରାୟଣ ହୋଇ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

ସୂଚନାରୁ ପ୍ରକାଶ ଯେ ଡ୍ରାଇଭର ଜାଗୋ ସିଂହ ରାଉରକେଲାରୁ ଲୁହା ପାଇପ୍‌ ବୋଝେଇ କରି ଜାମସେଦପୁର ଯାଉଥିବା ବେଳେ ୧୨ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ତାଙ୍କ ଗାଡ଼ିକୁ ଖୁଣ୍ଟି-ତମାଡ଼ ଜାତୀୟ ରାଜପଥ ଅନ୍ତର୍ଗତ ଓଲୋ ଘାଟିରେ ତାଙ୍କୁ ଅଟକାଇ ଥିଲେ। ଏହାପରେ ସେମାନେ ଡ୍ରାଇଭର ଠାରୁ ଚାବି ଛଡାଇ ନେଇଥିଲେ। ଚାବି ଫେରାଇ ଦେବାକୁ ଡ୍ରାଇଭର କାକୁତିମିନତି କରିବା ବେଳେ ନୃଶଂସ ନକ୍ସଲମାନେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଏହା ପରେ ତାଙ୍କ ଶବକୁ ସେମାନେ ଟ୍ରକ୍‌ରେ ଭର୍ତ୍ତି କରି ନିଆଁ ଲଗାଇ ଦେଇଥିଲେ। ଖବର ପାଇ ସାଇକୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୁଣ୍ଟି ଜିଲ୍ଲା ମୁଖ୍ୟାଳୟରୁ ଦମକଳ ମଗାଇଥିଲେ। ତେବେ ଦମକଳ ପହଞ୍ଚିବା ବେଳକୁ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତା’ ସହିତ ଡ୍ରାଇଭର୍‌ ଜାଗୋ ସିଂହଙ୍କ ମୃତଦେହ ବି ପୋଡ଼ି ପାଉଁଶ ହୋଇଯାଇଥିଲା।

ଖବର ହସ୍ତଗତ ସୁଦ୍ଧା ଏସ୍‌ପି ଅଶ୍ୱିନୀ କୁମାର ସିହ୍ନା, ଏସ୍‌ଡିପିଓ ରଣବୀର ସିଂ, ଏସ୍‌ଡିଏମ୍‌ ପ୍ରଣବ କୁମାର ପାଲ, ତାଲିମରେ ଥିବା ଡିଏସ୍‌ପି ଆଶୁତୋଷ କୁମାର ପ୍ରମୁଖ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର