ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ଆଜି

ଗସ୍ତ ପୂର୍ବରୁ ଟ୍ଵିଟ୍‌ କଲେ ମୋଦୀ, ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ, ସାର କାରଖାନା ବି ଶିଳାନ୍ୟାସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ରାଜ୍ୟରେ ୫ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ। ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଝାରସୁଗୁଡ଼ା ହେବ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର। ସେଠାରୁ ଉଡ଼ାନ୍‌ ସେବାର ଶୁଭାରମ୍ଭ ମଧ୍ୟ ମୋଦୀ କରିବେ।

ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ୍‌ ଓ ଗର୍ଜନବାହାଲ୍‌ କୋଇଲା ଖଣିକୁ ମଧ୍ୟ ଉଦ୍‌ଘାଟନ କରିବେ। ସେହିପରି ସୁନ୍ଦରଗଡ଼ରେ ଏନ୍‌ଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ଦେଶ ପ୍ରତି ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦୀଙ୍କ ଦିନିକିଆ ଓଡ଼ିଶା ଓ ଛତିଶଗଡ଼ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇଛି। ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜଞ୍ଜଗିର୍‌-ଚମ୍ପା ଜିଲ୍ଲାରେ ଆୟୋଜିତ ପାରମ୍ପରିକ ହସ୍ତତନ୍ତ ଓ କୃଷି ପ୍ର୍ରଦର୍ଶନୀରେ ଯୋଗଦେବେ। ଏଥିସହିତ ପେଣ୍ଡ୍ରା-ଅନୁପୂରର ତୃତୀୟ ରେଳଲାଇନ ଓ ଜାତୀୟ ରାଜପଥର ଶିଳାନ୍ୟାସ କରିବେ। ସେଠାରେ ସେ ଆୟୋଜିତ ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ।
ଅନ୍ୟପକ୍ଷରେ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସଂଧ୍ୟାରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଦୁଇଟି ଟ୍ଵିଟ୍‌ କରିଛନ୍ତି। ପ୍ରଥମ ଟ୍ଵିଟ୍‌ରେ ସେ ଆସନ୍ତାକାଲି ଓଡ଼ିଶାର ଭାଇ ଭଉଣୀଙ୍କ ସାଥିରେ ରହିବେ ବୋଲି କହିଛନ୍ତି। ତାଳଚେର ସାର କାରଖାନାର କାମ ଆରମ୍ଭ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ତାଳଚେର ଗସ୍ତ କରିବେ। ଏଥିସହିତ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ପାଇଁ ଝାରସୁଗୁଡ଼ା ଯିବେ ବୋଲି କହିଛନ୍ତି। ଦ୍ୱିତୀୟ ଟ୍ଵିଟ୍‌ରେ ମୋଦୀ କହିଛନ୍ତି, ଗର୍ଜନବାହାଲ କୋଇଲା ଖଣି, ଝାରସୁଗୁଡ଼ା-ବରପାଲି-ସରଡେଗା ରେଳଲାଇନ୍‌କୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିବେ। ଓଡ଼ିଶାରେ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ଶକ୍ତି କ୍ଷେତ୍ରକୁ ଲାଭ ପହଞ୍ଚାଇବା ସହିତ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ଵିଟ୍‌ରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉଭୟ ତାଳଚେର ଓ ଝାରସୁଗୁଡା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର