ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ; ପାରିତ ହେଲା ସଂକଳ୍ପ

ଭୁବନେଶ୍ୱର: ଏଣିକି ଝାରସୁଗୁଡ଼ା ବିମାନ ବନ୍ଦରର ନାମକରଣ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ। ଏଥିପାଇଁ ଆଜି ବିଧାନସଭାରେ ଉପସ୍ଥାପିତ ସଂକଳ୍ପ ସର୍ବସମ୍ମତ କ୍ରମେ ପାରିତ ହୋଇଛି। ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ଏହାକୁ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ସଂକଳ୍ପ ଆଣି ସମସ୍ତଙ୍କ ସମର୍ଥନ ଲୋଡ଼ିଥିଲେ। ସେ କହିଥିଲେ, ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଭାରତୀୟ ବିମାନ ପ୍ରାଧିକରଣକୁ ୧୧୮.୭୫ ଏକର ଜମି ବିନା ମୂଲ୍ୟରେ ଯୋଗାଇଦେବା ସାଙ୍ଗକୁ ୭୫ କୋଟି ପ୍ରଦାନ କରିଛନ୍ତି। ସରକାରଙ୍କ ତରଫରୁ ବିମାନ ବନ୍ଦରରେ ସୁରକ୍ଷା କର୍ମୀ ଓ ଅଗ୍ନି ନିରାପତ୍ତା କର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ ବିନା ମୂଲ୍ୟରେ ବିଦ୍ୟୁତ୍‌ ସେବା ଓ ପାନୀୟଜଳ ଯୋଗାଇ ଦିଆଯାଇଛି। ଏହାକୁ ଦୃଢ଼ ଭାବେ ସମର୍ଥନ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ବୀର ସୁରେନ୍ଦ୍ର ସାଏ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ୧୮ ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ତାଙ୍କ ଜୀବନର ଅଧିକାଂଶ ସମୟ ଜେଲ୍‌ରେ କଟିଥିଲା। ତାଙ୍କ ନାମରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ନାମିତ କରାଗଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହା ସହିତ ନିକଟରେ ଉଦ୍‌ଘାଟିତ ବଲାଙ୍ଗୀର ଭୀମଭୋଇ ମେଡିକାଲ୍‌ କଲେଜର ନାମକରଣରେ ସଂଶୋଧନ ଆଣି ସନ୍ଥ ଭୀମଭୋଇ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନ ବନ୍ଦର ନାମକରଣ ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତିି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ଅମର ପ୍ରସାଦ ଶତପଥୀ, ମହେଶ ସାହୁ, ଯୋଗେନ୍ଦ୍ର ବେହେରା, ଡା. ପ୍ରଫୁଲ ମାଝୀ।

ସମ୍ବନ୍ଧିତ ଖବର