ଝାରସୁଗୁଡ଼ା : ଝାରସୁଗୁଡ଼ା ରାଜନୀତିରେ ଏବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ। କୁହାଯାଉଛି, ନବ ଯାହା କରି ପାରୁଥିଲେ ଏବେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ମଧ୍ୟ ତାହା କରିପାରୁଛନ୍ତି। ନବ ତାଙ୍କୁ ଏଥିଲାଗି ପୂର୍ଣ୍ଣ କ୍ଷମତା ବି ଦେଇଛନ୍ତି। ତେଣୁ ଯେଉଁ ଯେଉଁ ବୈଠକ ଓ ସଭାରେ ନବ ନିଜେ ଉପସ୍ଥିତ ରହିବା କଥା ସେଥିରେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ବସୁଛନ୍ତି ଓ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଛନ୍ତି। କିନ୍ତୁ, ଏହାକୁ ଜିଲ୍ଲା ବିଜେଡି ଶିବିରରେ କିଛି ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି। ସିଧାସଳଖ ସେମାନେ ମୁହଁ ଖୋଲିବାକୁ ସାହସ କରିପାରୁନଥିଲେ ମଧ୍ୟ ଭିତରେ ଭିତରେ ଅସନ୍ତୁଷ୍ଟ ରହୁଛନ୍ତି ଓ ମଉକା ଖୋଜୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଦେଶରେ ଶିକ୍ଷାପ୍ରାପ୍ତ ଦୀପାଳି ରାଜନୀତିରେ ଯଦିଓ ନୂଆ, ତାଙ୍କର ନେତୃତ୍ବ ନେବାର କ୍ଷମତା ଏବେଠାରୁ ବାରି ହୋଇ ପଡ଼ୁଛି। ଗତ ମାସକ ମଧ୍ୟରେ ଦୀପାଳି କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ୍ ସମେତ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନକୁ ଘନଘନ ଗସ୍ତ କରିଛନ୍ତି। ବିଭିନ୍ନ ସଭା ସମିତିରେ ଉପସ୍ଥିତ ରହୁଛନ୍ତି। ଜିଲ୍ଲାର ମହିଳାଙ୍କ ଉପରେ ସେ ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ସମସ୍ୟାକୁ ଶୁଣି ତାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ଓ ଏଥିରେ ତାଙ୍କ ବାପା ମଧ୍ୟ ତତ୍କ୍ଷଣାତ ସାହାଯ୍ୟ ଯୋଗାଇ ଦେଉଛନ୍ତି। ନବ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀକୁ ସମୟ ଦେବାରେ ଯେଉଁ ଅସୁବିଧା ହେଉଥିଲା; ତାକୁ ଦୀପାଳି ଭରଣା କରିବାରେ ଅନେକ ପରିମାଣରେ ସଫଳ ହୋଇଛନ୍ତି। ନବଙ୍କ ପାଖରେ କାମ ଥିବା ଲୋକ ଅନାୟାସରେ ଦୀପାଳିଙ୍କୁ ଭେଟି ତାଙ୍କ ଆପତ୍ତି ଅଭିଯୋଗ ଶୁଣାଇ ପାରୁଛନ୍ତି।
କିନ୍ତୁ ଦଳରେ ଦୀପାଳିଙ୍କ ଏଭଳି ଶକ୍ତିବୃଦ୍ଧିକୁ କିଛି ନେତା ସହ୍ୟ କରିପାରୁନଥିବା ଦେଖିବାକୁ ମିଳିଛି। କଂଗ୍ରେସ ଦଳ ଛାଡ଼ି ନବ ବିଜେଡିକୁ ଆସିବା ପରେ କିଏ ତାଙ୍କ ଅତି ପାଖ ଲୋକ ହୋଇ ରହିବ ସେ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା। ଏମିତିକି କିଶୋର ମହାନ୍ତିଙ୍କ ଶିବିରରେ ଥିବା ବିଜେଡି ଲୋକ ଓ ନବଙ୍କ ଶିବିରରେ ଥିବା ବିଜେଡି ଲୋକଙ୍କ ମଧ୍ୟରେ ବି ଏକ ପରୋକ୍ଷ ଓ ଅଦୃଶ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। କିଏ ଅଧିକ କ୍ଷମତାଶାଳୀ ତାହା ଥିଲା ପ୍ରଶ୍ନ। ତେବେ ନବ ନିଜ ଝିଅଙ୍କୁ ପ୍ରତିନିଧି କରି ତାଙ୍କର ସବୁ କ୍ଷମତା ଅଜାଡ଼ି ଦେବା ପରେ ସମୀକରଣରେ କିଛିଟା ପରିବର୍ତ୍ତନର ଆଭାସ ମିଳୁଛି। ନବଙ୍କ ଚାରି ପାଖରେ ଘୂରି ବୁଲୁଥିବା କିଛି ଲୋକ ଦୀପାଳିଙ୍କ ଶକ୍ତିବୃଦ୍ଧିକୁ ସହ୍ୟ କରି ପାରୁ ନାହାନ୍ତି। ନଗରପାଳ ଦୌଡ଼ରେ ପ୍ରତିଯୋଗିତା ମନୋଭାବ ନେଇ ଆଗେଇ ଯାଉଥିବା କିଛି ନେତା ଏବେ ପଛଘୁଞ୍ଚା ଦେଇଥିବା ଦେଖା ଯାଇଛି।
ନବ ବହୁ ପୂର୍ବରୁ ତାଙ୍କ ପୁତ୍ର ବିଶାଳଙ୍କୁ ରାଜନୀତିକୁ ଆଣିବାକୁ ଉଦ୍ୟମ କରିଥିଲେ। ନବ କଂଗ୍ରେସରେ ଥିବା ବେଳେ ବିଶାଳ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। କିଛି କଂଗ୍ରେସ ସଭାରେ ବିଶାଳ ଯୋଗଦାନ ମଧ୍ୟ କରିଥିଲେ। ବିଜେଡିରେ ମିଶିବା ପରେ ନବୀନଙ୍କ ସଭାରେ ମଧ୍ୟ ବିଶାଳ ଯୋଗ ଦେଇଥିଲେ। ନିର୍ବାଚନ ପୂର୍ବରୁ ବିଶାଳ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ବୁଲାବୁଲି କରିଥିଲେ। ମାତ୍ର ରାଜନୀତିରେ ତାଙ୍କର ସେତେଟା ରୁଚି ନଥିବା କୁହାଯାଉଥିଲା। ନବ ମନ୍ତ୍ରୀ ହେବା ପରେ ବିଶାଳ ରାଜନୀତିରେ ଆଉ ବେଶି ସମୟ ନଦେଇ ତାଙ୍କ ବ୍ୟବସାୟରେ ବେଶି ସମୟ ଦେଇଥିଲେ। ଏଭଳି ପରିସ୍ଥିତିରେ ନବ ତାଙ୍କ ଝିଅ ଦୀପାଳିଙ୍କୁ ସିଧାସଳଖ ରାଜନୀତିକୁ ଆଣିଛନ୍ତି। ସରକାରୀ ଗୁରୁତ୍ବପୂର୍ଣ୍ଣ ବୈଠକରେ ବି ଦୀପାଳିଙ୍କ ଯୋଗଦାନ ଝାରସୁଗୁଡ଼ା ରାଜନୀତିକୁ ପ୍ରଭାବିତ କରିଛି। ତେବେ ନବଙ୍କ ଏହି ପଦକ୍ଷେପ ଭବିଷ୍ୟତରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଛି।