ଝାରସୁଗୁଡ଼ା: ବିଜୁଳି ଖମ୍ବରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ସୁନ୍ଦରଗଡ଼ ସହର ଉପକଣ୍ଠସ୍ଥିତ ରାଣୀ ବଗିଚା ଠାରେ ବିଜୁଳି ଖୁଣ୍ଟରୁ ଖସି ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଝାରସୁଗୁଡ଼ା ଜିଲ୍ଲା ଚିରିମିରା ବ୍ଲକ୍‌ ଅନ୍ତର୍ଗତ ତେଲିଡିହି ଗ୍ରାମର ୧୯ ବର୍ଷିୟ ରାଜେଶ ମୋରାଇ ସରକାରଙ୍କ ‘ସୌଭାଗ୍ୟ ଯୋଜନା’ର ଠିକା ନେଇଥିବା ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଶନିବାର ପୂର୍ବହ୍ନ ପ୍ରାୟ ୧୦ଟା ବେଳେ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ କୌଣସି କାରଣରୁ ତଳକୁ ପଡ଼ିଯିବାରୁ ତାଙ୍କର ମୃୃତ୍ୟୁ ଘଟିଥିଲା।

ତାଙ୍କର ଶବ ନେଇ ଉକ୍ତ ଠିକା ସଂସ୍ଥା ତେଲିଡିହିସ୍ଥିତ ତାଙ୍କ ଘରେ ପହଞ୍ଚି ଥିଲେ। କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ କେସ୍‌ ନ କରିବାକୁ ରାଜେଶଙ୍କ ପିତା ବାରୁ ମୋରାଇଙ୍କୁ ପ୍ରବର୍ତ୍ତାଇ ଥିଲେ। ସେମାନେ କହିଥିଲେ କି, କେସ୍‌ କଲେ କିଛି ପଇସାପତ୍ର ମଳିବ ନାହିଁ। ଓଲଟି ହଇରାଣ ହେବେ। ତୁରନ୍ତ ତାଙ୍କୁ ୨୦ ହଜାର ଟଙ୍କା ମଧ୍ୟ ଦେଇ ସେମାନେ ପଳାଇ ଯାଇଥିଲେ। ତାଙ୍କ କଥାରେ ପଡ଼ି ପିତା ବାରୁ ପୁତ୍ରର ଶବ ମଧ୍ୟ ଦାହ କରି ପକାଇଥିଲେ।

ଠିକା ସଂସ୍ଥାର କଥାରେ ସନ୍ଦେହ ହେବାରୁ ଆଜି ତାଙ୍କର ବାପା କହିଛନ୍ତି କି, ରାଜେଶ ଜଣେ ଅଣକୁଶଳୀ ଶ୍ରମିକ; ସେଫ୍‌ଟି ବେଲ୍‌ଟ୍‌, ହେଲ୍‌ମେଟ୍‌, ଜୋତା ଓ ଗ୍ଲୋଭ୍‌ସ୍‌ ବିନା ତାଙ୍କୁ ଠିକା ସଂସ୍ଥା କାର୍ଯ୍ୟରେ ଲଗାଇଥିଲା।

ସମ୍ପ୍ରତି ବାରୁ ସେ ଠିକା ସଂସ୍ଥା ବିରୋଧରେ ଅଭିଯୋଗ କରିବାକୁ ଲଇକେରା ଥାନାକୁ ବାହାରିଛନ୍ତି।

ସମ୍ବନ୍ଧିତ ଖବର