ଆଦିବାସୀ ମାନ୍ୟତା ପ୍ରସଙ୍ଗ : ପ୍ରତାରଣା ସୀମା ଟପିଲା, ଭୋଟ୍‌ ବର୍ଜନ କରିବେ ଝୋଡ଼ିଆ ସଂପ୍ରଦାୟ

ରାୟଗଡା (ନବୀନ ଚନ୍ଦ୍ର ସାହୁ): ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ ଚଳିତ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସକୁ ଭାରି ପଡିବ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଝୋଡିଆ ୩ ଦଳର ପ୍ରମୁଖ ନେତାଙ୍କ ମାଧ୍ୟମରେ ରାଜ୍ୟପାଳ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଛନ୍ତି। ନିଜ ହକ୍ ପାଇଁ ଲଢ଼ିବା ସହ ଝୋଡିଆଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ନେହୁରା ହୋଇଛନ୍ତି। କିନ୍ତୁ ପ୍ରତିଶ୍ରୁତି ବ୍ୟତୀତ କୌଣସି ସରକାରଙ୍କ ନିକଟରୁ କିଛି ବି ମିଳିନି ଏହି ସଂପ୍ରଦାୟକୁ। ଏପରିକି େଖାଦ୍ େକନ୍ଦ୍ର ଆଦିବାସୀ ମନ୍ତ୍ରୀ ଓଡ଼ିଶା ବିେଜପି େନତା ଜୁଏଲ ଓରାମ ଥିଲେ ବି ସେମାନଙ୍କ କଥାକୁ ଗୁରୁତ୍ବ ମିଳିନଥିଲା।

୨୦୧୨ ପଂଚାୟତ ନିର୍ବାଚନ ସେମାନେ ବର୍ଜନ କରିଥିଲେ। ଏଥର ଚରମ ବାଣୀ ଶୁଣାଇ ଦେଇଛନ୍ତି, ଝୋଡିଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ନ ମିଳିଲେ ମତଦାନରୁ ଦୂରେଇ ରହିବେ। ଜଣେ କି ଦୁଇଜଣ ନୁହେଁ, ସଂପ୍ରଦାୟର ପୂରା ୨୨ ହଜାରରୁ ଉର୍ଧ୍ବ ଭୋଟର ନିର୍ବାଚନ ପ୍ରକ୍ରିୟାରୁ ଦୂରେଇଯିବା ପାଇଁ ସଂକଳ୍ପ େନଇଛନ୍ତି।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୧୨ଟି ପଂଚାୟତ ସମେତ କୋରାପୁଟ, ମାଲକାନଗିରି, ନବରଂଗପୁର, କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷରୁ ଉର୍ଧ୍ବ ଝୋଡିଆ ସଂପ୍ରଦାୟ ବସବାସ କରୁଛନ୍ତି। ଏହି ସଂପ୍ରଦାୟ ବସବାସ କରୁଥିବା ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ପଛରେ। ଏହାସତ୍ତ୍ବେ ଝୋଡିଆଙ୍କ ଦାବି ପୂରଣ ଦିଗରେ ସରକାର ତତ୍ପରତା ଦେଖାଇବା ବଦଳରେ ଅଣଦେଖା କରି ଆସୁଛନ୍ତି। କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଥିବା ବେଳେ କେନ୍ଦ୍ର ମଧ୍ୟ ଏ ଦିଗରେ ହାତ ବାନ୍ଧି ବସିଛି।

୧୯୯୭ ମସିହା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ଝୋଡିଆ, ପରଜାଙ୍କୁ ଆଦିବାସୀ କାର୍ଡର ସୁବିଧା ସୁଯୋଗ ଦେଇ ଆସୁଥିଲେ। ପରବର୍ତୀ ସମୟରେ ସୁବିଧା ସୁଯୋଗରୁ ବଂଚିତ କରି ଆସୁଛନ୍ତି। ଯାହାର ତୀବ୍ର ପ୍ରତିବାଦ କରି ୨୦୧୨ ପଂଚାୟତ ନିର୍ବାଚନ ବର୍ଜନ କରିଥିଲା ‌ଝୋଡିଆ ସଂପ୍ରଦାୟ। ସମଗ୍ର ବ୍ଲକରେ କେହି ଜଣେ ବି ନିର୍ବାଚନରେ ମତଦାନ ନ କରିବାରୁ ୫ ବର୍ଷ ଜିଲ୍ଲାପାଳ େନାମିନ୍ ଭାବେ କାମ କରିଥିଲେ।

ଏହା ପରେ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଏକ ଟିମ୍ କାଶୀପୁର, ରାୟଗଡା, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ସର୍ଭେ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ହେଲେ ଆଜି ସୁଦ୍ଧା ସର୍ଭେ ରିପୋର୍ଟ ସରକାରଙ୍କ ନାଲି ଫିତା ମୁଣ୍ଡ ଟେକି ପାରୁନି।

ଏହା ପୂର୍ବରୁ ୨୦୦୨ ମସିହାରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ୨୦୧୦ ମେ ୧୭ ତାରିଖରେ କେନ୍ଦ୍ର ସରକାରଙ୍କ ପତ୍ର ଲେଖି ଅନୁରୋଧ କରିଥିଲା ଝୋଡିଆ ସଂପ୍ରଦାୟ। ସେହିପରି ୨୦୧୦ ସେପଟେମ୍ବର ୧୭ ତାରିଖରେ ଓଡ଼ିଶାର ତତ୍କାଳନୀ ରାଜ୍ୟପାଳ ଡ. ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ମଧ୍ୟ ସମାନ ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ‌ଦୋହରାଇଥିଲେ। ୨୦୧୨ ନଭେମ୍ବର ୩ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ। ୨୦୧୯ ଜାନୁଆରୀ ୧୦ ତାରିଖରେ ପୁଣି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଝୋଡିଆ ଫେରାଦ୍ ହୋଇଥିବା ବେଳେ ଫେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଝୋଡିଆ ସମାଜ ସଭାପତି ସୁମନି ଝୋଡିଆ ଅଭିଯୋଗ କରିଛନ୍ତି, ୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରେ ଆସାମ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡର ୧୫ରୁ ଉର୍ଧ୍ବ ସଂପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କଲେ। କିନ୍ତୁ ଓଡ଼ିଶାର ଦାବିକୁ ଅଣଦେଖା କଲେ। ରା ଝୋଡିଆ ସମେତ ୯ଟି ସଂପ୍ରଦାୟଙ୍କୁ ଆଦିବାସୀ ତାଲିକାଭୁକ୍ତ କରି‌ବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।

ସମ୍ବନ୍ଧିତ ଖବର