ଆଦିବାସୀ ମନ୍ତ୍ରୀ ଓଡ଼ିଶାର, ଆଦିବାସୀଙ୍କୁ ନ୍ୟାୟ ମିଳୁନି

ଭୁବନେଶ୍ୱର : ବାପ ଅଜା, ତାଙ୍କ ବାପଅଜା, କାହିଁ କେଉଁ କାଳରୁ ସେମାନେ ଆଦିବାସୀ ଭାବେ ଜଣାଶୁଣା। ସେମାନେ ପାହାଡ଼, ଜଙ୍ଗଲରେ, ପ୍ରକୃତି ମୂଲକରେ ରହି ଆସୁଛନ୍ତି। ସରକାରୀ କାର୍ଯ୍ୟକ୍ରମ, ସାଂସ୍କୃତିକ ମହୋତ୍ସବରେ ଆଦିବାସୀ ନୃତ୍ୟ ଓ ଗୀତ କରିବାକୁ ସେମାନଙ୍କୁ ଖୋଜାଯାଉଛି। ସେମାନଙ୍କ ନୃତ୍ୟ ଓ ସଂଗୀତ ଦେଶବିଦେଶରେ ପୁରସ୍କୃତ ହୋଇଛି ଏବଂ ଓଡ଼ିଶାର ସମ୍ମାନ ବଢ଼ିଛି। ଇଂରେଜ ଶାସନ ପୂର୍ବରୁ ସେମାନଙ୍କୁ ଆଦିବାସୀର ମାନ୍ୟତା ମିଳୁଥିଲା। ମାତ୍ର ଦେଶ ସ୍ୱାଧୀନ ହେବା ପରେ ସରକାରୀ ନଥିରେ ସେମାନେ ଆଦିବାସୀ ନୁହନ୍ତି। ସେମାନଙ୍କ ପିଲାଙ୍କୁ ହଷ୍ଟେଲରୁ ବିଦା ହେବାକୁ ପଡୁଛି। ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେବାକୁ ପଡୁଛି। ଏ କି ପ୍ରକାର ନୀତି ବୋଲି କ୍ରୋଧ ପ୍ରକାଶ କରନ୍ତି ଆଦିବାସୀ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପରାମର୍ଶଦାତା ସୁମନି ଝୋଡ଼ିଆ।

ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ବସବାସ କରୁଥିବା ଝୋଡ଼ିଆ ସଂପ୍ରଦାୟ ଆଦିବାସୀ ହୋଇ ସୁଦ୍ଧା ସେମାନଙ୍କୁ ଆଦିବାସୀର ମାନ୍ୟତା ମିଳିନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ଝୋଡ଼ିଆ ସଂପ୍ରଦାୟର ଆଦିବାସୀଙ୍କୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଅତି ପଛୁଆ ଓ ପୁରାତନ ଆଦିବାସୀ (ପିଭିଟିଜି)ର ମାନ୍ୟତା ମିଳିଥିବାବେଳେ ଓଡ଼ିଶାରେ ଏମାନେ ସାଧାରଣ ବର୍ଗରେ ଆସୁଛନ୍ତି। ପହରିଆ, ଦୁରୁଆ ଭଳି ଅନେକ ଆଦିବାସୀ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଲୋଧା (ପିଭିଟିଜି)ଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖା ଦେଇଛି।

ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରେ ମୋଟ ୬୨ ପ୍ରକାର ଆଦିବାସୀ ବସବାସ କରୁଛନ୍ତି। ଆଉ କିଛି ଆଦିବାସୀ ଗୋଷ୍ଠୀ ଏହି ତାଲିକାରେ ନାହାନ୍ତି। ବିଭାଗୀୟ ସୂତ୍ର ଅନୁସାରେ, ରାଜ୍ୟର ଏଭଳି ୧୬୭ଟି ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ୧୨ଟି ଗୋଷ୍ଠୀଙ୍କୁ ଆଦିବାସୀ ମାନ୍ୟତା ମିଳିବା ନେଇ ତତ୍‌କାଳୀନ ‘ଉପା’ ସରକାରଙ୍କ ହାଇ ପାଓ୍ଵାର୍‌ କମିଟି ଅନୁମୋଦନ କରିଥିଲେ। ପରେ କ୍ୟାବିନେଟ୍‌ ମଞ୍ଜୁରୀ ମଧ୍ୟ ମିଳିଥିଲା। ଏହି ୧୨ଟି ଗୋଷ୍ଠୀ ମଧ୍ୟରେ ଝୋଡ଼ିଆ, ପହରିଆ, ଦୁରୁଆ ଅନ୍ତର୍ଭୁକ୍ତ ଅଛନ୍ତି। ମାତ୍ର ‘ଉପା’ ସରକାର ଚାଲିଗଲା ପରେ ଏନ୍‌ଡ଼ିଏ ସରକାର କ୍ଷମତାକୁ ଆସିଲା। କ୍ୟାବିନେଟ ମଞ୍ଜୁରି ଶୀତଳ ଭଣ୍ଡାରକୁ ଚାଲିଗଲା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓଡ଼ିଶାର, ତଥାପି ଏ ଦିଗରେ ରାଜ୍ୟର ଆଦିବାସୀଙ୍କୁ ନ୍ୟାୟ ମିଳିପାରିନାହିଁ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍‌କାଳୀନ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ବି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ‘ତଫସିଲଭୁକ୍ତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ’ର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ଏ ନେଇ ପ୍ରଶାସନିକସ୍ତରରେ ଉଦ୍ୟମ ଜାରି ରହିଛି ଏବଂ ଆସନ୍ତା ସେପ୍‌ଟେମ୍ବର ମାସ ୬ ତାରିଖରେ ରାଜ୍ୟପାଳଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର