ଝୋଡ଼ିଆ ଆଦିବାସୀଙ୍କୁ ଜନଜାତି ତାଲିକାଭୁକ୍ତ କରାଯାଉ

ଭୁବନେଶ୍ବର : ଝୋଡ଼ିଆ ଆଦିବାସୀଙ୍କୁ ଜନଜାତି ତାଲିକାଭୁକ୍ତ କରିବାକୁ ଦାବି ହୋଇଛି। ଆଜି ଏ ନେଇ ଲୋକଶକ୍ତି ଅଭିଯାନ ପକ୍ଷରୁ ଲୋହିଆ ଏକାଡେମି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି କି, ରାଜ୍ୟ ସରକାର ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କୁ ଏହା ସୁପାରିସ କରିବା ସତ୍ତ୍ବେ କେନ୍ଦ୍ର ଏହାକୁ ଜନଜାତି ତାଲିକାଭୁକ୍ତ ନ କରିବା ଅନ୍ୟାୟ ଅଟେ। ତୁରନ୍ତ କେନ୍ଦ୍ର ସରକାର ଏହାକୁ କ୍ୟାବିନେଟ୍‌ରେ ଅନୁମୋଦିତ କରାଇ ସଂସଦରେ ଗୃହୀତ କରାନ୍ତୁ ବୋଲି ଦାବି ହୋଇଛି।

ଶ୍ରୀ ସାମନ୍ତରାୟ କହିଛନ୍ତି କି, ୨୦୧୪ରୁ ଏ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ସରାକାର ଆସାମ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାରଖଣ୍ଡରେ ପ୍ରାୟ ୧୫ରୁ ଅଧିକ ସଂପ୍ରଦାୟକକୁ ଆଦିବାସୀ ତାଲିକାଭୁକ୍ତ କରିଥିଲେ ମଧ୍ୟ ଓଡ଼ିଶାର ଝୋଡ଼ିଆ ସମେତ ଅନ୍ୟ ୪ଟି ଆଦିବାସୀ ସମୁଦା‌ୟକୁ ତାଲିକାଭୁକ୍ତ ନ କରିବା ଏକ ପ୍ରକାର ରାଜ୍ୟ ପ୍ରତି ଅବହେଳା ଅଟେ। ଓଡ଼ିଶାରୁ ଆଦିବାସୀ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଥାଇ ସୁଦ୍ଧା ଏପରି ନ ହୋଇ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ଆମ ଦାବି ନ ଶୁଣିଲେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତ୍ରୀ ସୁମନି ଝୋଡ଼ିଆ, ମକରନ୍ଦ ମୁଦୁଲି, ଘାସିନି ଝୋଡ଼ିଆ, ଶିବରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର