ଶ୍ରୀଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣା, ବିଜେପିକୁ ଦାୟୀ କଲେ ଗୁଜୁରାଟର ଦଳିତ ନେତା

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କୁ ପୁରୀ  ଶ୍ରୀଜଗନ୍ନାଥ ମନ୍ଦିରରେ କଥିତ ଅସମ୍ମାନ ଘଟଣା ସତ ହେଉ ଅଥବା ମିଛ, କିନ୍ତୁ ତାହାକୁ ନେଇ ରାଜନୀତି ଓ ବିବାଦ କମିବା ବଦଳରେ ବଢିଚାଲିଛି । ଏବେ ଏହି ଘଟଣା ଜାତୀୟ ସ୍ତରରେ ପହଞ୍ଚିଛି । ଗୁଜୁରାଟରେ ଦଳିତ ନେତା ତଥା କଂଗ୍ରେସ ସମର୍ଥିତ ସ୍ୱାଧୀନ ବିଧାୟକ ଜିଗ୍ନେସ ମେବାନି ଏ ସଂପର୍କରେ ନିଜର ମତ ରଖିଛନ୍ତି । ତେବେ ଚିରାଚରିତ ଭାବେ ସେ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି । ଟ୍ଵିଟରରେ ସେ ଲେଖିଛନ୍ତି ଯେ ବିଜେପିଠାରୁ ଆଉ କ’ଣ ଆଶା କରାଯିବ ? ବିଜେପି ଦେଶରେ ସମ୍ବିଧାନ ବଦଳରେ ମନୁସ୍ମୃତିକୁ ଲାଗୁ କରୁଛି । ଯଦି ଦେଶର ରାଷ୍ଟ୍ରପତିଙ୍କୁ ଏପରି ଦଶା, ସାଧାରଣ ଦଳିତ କଥା କ’ଣ କହିବା ? ମୁଁ ଏହି ମାମଲାରେ ରାଷ୍ଟ୍ରପତିଙ୍କୁ ସମର୍ଥନ କରୁଛି । ବିଜେପି ସମର୍ଥନ କରିବ କି ?

କିନ୍ତୁ ତାଙ୍କର ଏହି ଟ୍ଵିଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି । କେତେକ ତାଙ୍କୁ ସମର୍ଥନ କରିଥିବାବେଳେ ଆଉ କେତେକ କହିଛନ୍ତି ଯେ ବିଜେପି ସହ ଏହି ଘଟଣାର ସଂପର୍କ କ’ଣ ? ବିଶିଷ୍ଟ ଲେଖକ ଓ ଇତିହାସକାର ରାମଚନ୍ଦ୍ର ଗୁହା ଟ୍ଵିଟ କରିଛନ୍ତି ଯେ ପୁରୀ ମନ୍ଦିର ସେବାୟତଙ୍କ ଏପରି ରକ୍ଷଣଶୀଳ ବ୍ୟବହାର ବିଜେପି ପ୍ରତିଷ୍ଠାର ବହୁ ବର୍ଷ ପୂର୍ବରୁ ଚାଲିଆସିଛି । ସେମାନେ ଇନ୍ଦିରା ଗାନ୍ଧିଙ୍କୁ ପ୍ରବେଶ କରିବାକୁ ଦେଲେ ନାହିଁ, କାରଣ ସେ ଜଣେ ପାର୍ସୀଙ୍କୁ ବାହା ହୋଇଥିଲେ । ସେହିପରି ମହାତ୍ମା ଗାନ୍ଧି ଦେଶରୁ ଅସ୍ପୃଶ୍ୟତା ଲୋପ କରିବାକୁ ଚାହୁଁ ନ ଥିବାରୁ ତାଙ୍କୁ ବି ପ୍ରବେଶ କରିବାକୁ ଦିଆଯାଇ ନ ଥିଲା । ଏଣୁ ବିଜେପି ଓଡ଼ିଶାରେ ଶାସନ କରୁନଥିବାବେଳେ ତାକୁ ଦୋଷ ଦେବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ଗତ ମାର୍ଚ୍ଚ ୧୮ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ଶ୍ରୀମନ୍ଦିରରେ ମହାପ୍ର୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ବେଳେ ଗର୍ଭଗୃହରେ ମହାମହିମ ରତ୍ନ ସିଂହାସନରେ ମଥା ରଖିବାକୁ ଉଦ୍ୟମ କରୁଥିବା ବେଳେ ଖୁଣ୍ଟିଆ ମେକାପ ସେବକ ଆଡେଇଲେ ନାହିଁ। କେତେକ ସେବକ ମହାମହିମ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀଙ୍କ ଦେହରେ ଘସି ହୋଇ ଯାଇଥିଲେ। ଯାହାକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ବିଭିନ୍ନ ଗଣମାଧ୍ୟମ ସାମ୍ନାରେ ଜଣେ ସେବକ ଯେପରି ମନ୍ତବ୍ୟ ରଖିଲେ ସେଥିରେ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର