ଉଦ୍ୟୋଗୀ ହେବା ପାଇଁ ନୂଆ ପିଢ଼ିକୁ ପ୍ରେରଣା ଦେବ: ଜିତେନ୍ଦ୍ର କୁମାର ମହାନ୍ତି

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟରେ ସକ୍ରିୟ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ବିପୁଳ ଉତ୍ସାହ ପ୍ରକାଶ ପାଇଛି। ସମ୍ବାଦର ଏହି ପ୍ରୟାସ ଶିଳ୍ପୋଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ଏବଂ ଏହି ପୁରସ୍କାରର ପ୍ରଭାବ ନୂଆ ପିଢ଼ିର ଯୁବକଯୁବତୀଙ୍କୁ ଉଦ୍ୟୋଗ ଜଗତରେ ପାଦ ଥାପିବାକୁ ପ୍ରୋତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ସ୍ୱସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲ୍‌ସ, ରିସର୍ଟସ୍‌, ଟ୍ରାଭେଲ୍‌ସ ଆଣ୍ଡ ଏଜୁକେସନ୍‌ର ପରିଚାଳନା ନିର୍ଦେଶକ ତଥା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏନ୍‌ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ମତାମତକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଓଡ଼ିଶାର ଖ୍ୟାତି ସମ୍ପନ୍ନ ଉଦ୍ୟୋଗଗୁଡ଼ିକୁ କର୍ପୋରେଟ୍‌ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯିବା ଲାଗି ସମ୍ବାଦ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବିଷୟ ଜାଣିବା ପରେ ଏହା ମୋତେ ଆନନ୍ଦିତ କରିଛି। ଏହି ପୁରସ୍କାର ଦ୍ୱାରା ଉଦ୍ୟୋଗୀଙ୍କୁ ଲୋକଙ୍କ ନିକଟରେ ଏକ ସ୍ୱୀକୃତି ମିଳିବ।

ଏହା ଓଡ଼ିଶାର ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ କି?
ରାଜ୍ୟରେ ଏହା ନିଶ୍ଚିତଭାବେ ଏକ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ। ବିଶେଷକରି କମ୍ପାନି ଗୁଡ଼ିକୁ ସେମାନଙ୍କ ବ୍ରାଣ୍ଡିଂରେ ସହାୟକ ହେବ।

ଆପଣ ଭାବୁନାହାନ୍ତି କି ଏହି ପୁରସ୍କାର ବର୍ତ୍ତମାନ ସମୟର ଆବଶ୍ୟକତା?
ଓଡ଼ିଶାରେ ଭଲ କାର୍ଯ୍ୟକୁ କ୍ୱଚିତ୍‌ ସ୍ୱୀକୃତି ଦିଆଯାଇଥାଏ। କିନ୍ତୁ ସମ୍ବାଦ ପକ୍ଷରୁ ଏହି ପୁରସ୍କାର ଭଲ କାର୍ଯ୍ୟ କରୁଥିବା ଉଦ୍ୟୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ଏବଂ ବ୍ୟବସାୟ ଜଗତରେ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସ୍ୱୀକୃତି ପ୍ରଦାନ କରିବ।

ଓଡ଼ିଶାରେ ଚାଲିଥିବା ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଆଗକୁ ନେବାର ଆବଶ୍ୟକତା ରହିଛି। ତେବେ ଏଥିପାଇଁ ଉଭୟ ଶିଳ୍ପୋଦ୍ୟୋଗୀ ଏବଂ ଯେଉଁ ତଳସ୍ତର ସରକାରୀ ଅଧିକାରୀଙ୍କ ସୁପାରିସରେ ଉଚ୍ଚପଦସ୍ଥ ଅଧିକାରୀମାନେ ଫାଇଲ ମଞ୍ଜୁର କରିଥାନ୍ତି ସେମାନଙ୍କ ମାନସିକତାରେ ପରିବର୍ତନ ଆସିବା ଆବଶ୍ୟକ।

ରାଜ୍ୟର ଦ୍ରୁତ ଶିଳ୍ପାୟନ ଲାଗି ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟର ଲୋକମାନେ ଶିଳ୍ପାୟନର ଲାଭ ସମ୍ପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି। ଶିଳ୍ପାୟନ ଦ୍ୱାରା କିଭଳି ନିଯୁକ୍ତି ସୃଷ୍ଟି ହୋଇଥାଏ, ସମାଜର ଉନ୍ନତି ହୋଇଥାଏ ଓ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିଥାଏ ସେ ସମ୍ପର୍କରେ ଲୋକମାନେ ସଚେତନ ହେବା ଉଚିତ।

ଆଗକୁ ବଢ଼ିବା ପାଇଁ କେଉଁ କ୍ଷେତ୍ର ସରକାରଙ୍କ ସହାୟତା ଆବଶ୍ୟକ କରୁଛି?
ପର୍ଯ୍ୟଟନ ଶିଳ୍ପକୁ ସରକାର ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ। କାରଣ ଏହା ହେଉଛି ଏକମାତ୍ର ଧୂଅାଁ ମୁକ୍ତ (ସ୍ମୋକ୍‌ ଫ୍ରି) ଶିଳ୍ପ ଯେଉଁଠି ବ୍ୟପାକ ମାତ୍ରାରେ ଶ୍ରମିକଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ରହିଥାଏ। ଏହି ଶିଳ୍ପ ଦ୍ୱାରା ସମାଜର ସବୁ ବର୍ଗର ଲୋକ ଯଥା ହୋଟେଲ ମାଲିକ, ଟ୍ୟାକ୍ସି ଡ୍ରାଇଭର, ରିକ୍ସା ଚାଳକ ଆଦି ଲାଭବାନ ହୋଇଥାନ୍ତି। ଭବିଷ୍ୟତରେ ଅର୍ଥନୀତିକୁ ଆଗକୁ ନେବାରେ ପର୍ଯ୍ୟଟନ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ବିଶ୍ୱ ବାଣିଜ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ୨୦୨୦ ସୁଦ୍ଧା ସବୁ ଶିଳ୍ପ ଗୁଡ଼ିକ ମଧ୍ୟରେ ପର୍ଯ୍ୟଟନ ଶିଳ୍ପରେ ହିଁ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ଆପଣ ଭାବୁଛନ୍ତି କି?
ସମାଜରେ ଯେଉଁମାନେ ସ୍ୱୀକୃତି ପାଆନ୍ତି ସେମାନଙ୍କୁ ଅନ୍ୟମାନେ ଅନୁକରଣ କରନ୍ତି। ଏହି ପୁରସ୍କାର ମାଧ୍ୟମରେ ଯେଉଁମାନେ ସ୍ୱୀକୃତି ପାଇବେ ସେମାନଙ୍କ ଦ୍ୱାରା ନୂଆ ପିଢ଼ିର ଯୁବକ ଯୁବତୀମାନେ ଉଦ୍ୟୋଗୀ ହେବା ପାଇଁ ନିଶ୍ଚିତ ଭାବେ ଅନୁପ୍ରାଣିତ ହେବେ।

ଓଡ଼ିଶାର ଶିଳ୍ପାୟନ ଠିକଣା ଦିଗରେ ରହିଛି ନା ନାହିଁ?
ଏବେ ରାଜ୍ୟ ସରକାରଙ୍କ ଶିଳ୍ପାୟନ ପ୍ରକ୍ରିୟା ଠିକଣା ଦିଗରେ ଆଗକୁ ବଢ଼ୁଛି। ଏହାର ଲାଭ ମଧ୍ୟ ଶୀଘ୍ର ମିଳିବ ବୋଲି ମୁଁ ନିଶ୍ଚିତ ଅଛି।

ସମ୍ବନ୍ଧିତ ଖବର