ଜିଏମ୍‌ୟୁ କ୍ୟାମ୍ପସ୍‌ର ନାମ ହେବ ‘ଅମୃତ ବିହାର’

ସମ୍ବଲପୁର: ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌ ଏଣିକି ‘ଅମୃତ ବିହାର’ ନାମରେ ପରିଚିତ ହେବ। ଓଡ଼ିଶାର ଅନ୍ୟ ପ୍ରମୁଖ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର ଯେମିତି ସ୍ୱତନ୍ତ୍ର ନାମ ରହିଛି ସେହି ଭଳି ଜିଏମ୍‌ୟୁ କ୍ୟାମ୍ପସ୍‌କୁ ‘ଅମୃତ ବିହାର’ଭାବେ ନାମିତ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆସନ୍ତା ୭ ତାରିଖ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟନୀ ଉତ୍ସବରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ସେହିପରି ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟର ନିଜସ୍ୱ ଫ୍ଲାଗ ଉନ୍ମୋଚିତ ହେବ। ବିଶ୍ୱବିଦ୍ୟାଳୟର ପୁରୁଣା ଲୋଗୋରେ ପରିବର୍ତ୍ତନ କରାଯାଇଛି। ନୂଆ ଲୋଗୋ ମଧ୍ୟ ଉନ୍ମୋଚନ କରାଯିବ। ଉକ୍ତ ଦିନ ବିଶ୍ୱବିଦ୍ୟାଳୟ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଡାକ ଲଫାପା (ଫାଷ୍ଟ ଡେ’ କଭର୍‌) ଉନ୍ମୋଚିତ ହେବ। ଉତ୍ସବରେ ସମସ୍ତ ବିଭାଗର ଟପରମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପ୍ରମାଣପତ୍ର ପ୍ରଦାନ କରାଯିବ। ୭ ତାରିଖରେ ପ୍ଲାଟିନମ ଜୁବିଲି ବର୍ଷର ଉଦ୍‌ଘାଟନୀ ଉତ୍ସବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସରକାରୀ ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଏବଂ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ର. ଦୀପକ କୁମାର ବେହେରା ମୁଖ୍ୟବକ୍ତାଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ପ୍ଲାଟିନମ ଜୁବିଲି ସଂପର୍କରେ ସୂଚନା ଦେଇ ଜିଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ଅତନୁ କୁମାର ପତି କହିଛନ୍ତି ଯେ ୨୦୧୮ ଜୁଲାଇ ୭ରୁ ୨୦୧୯ ଜୁଲାଇ ୭ ମଧ୍ୟରେ ବର୍ଷବ୍ୟାପୀ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାଛଡ଼ା ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ଲାଟିନମ ଜୁବିଲି ପାଇଁ ବର୍ଷ ସାରା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଚଳଚଞ୍ଚଳ ରହିବ ବୋଲି ପ୍ରଫେସର ପତି କହିଛନ୍ତି।

‘ବିଶ୍ୱ ଦେଖ ମଧୁମୟ’ କୁଳ ସଂଗୀତ

ପ୍ଲାଟିନମ ଜୁବିଲି ଅବସରରେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର ଆନ୍ଥେମ ବା କୁଳ ସଂଗୀତ ଲୋକାର୍ପିତ ହେବ। ସ୍ୱଭାବ କବି ଗଂଗାଧର ମେହେରଙ୍କ ‘ବିଶ୍ୱ ଦେଖ ମଧୁମୟ..’ ଗୀତକୁ ବିଶ୍ୱବିଦ୍ୟାଳୟର କୁଳ ସଂଗୀତଭାବେ ଚୟନ କରାଯାଇଛି। ସଂଗୀତ ଗୁରୁ ମୋତିଲାଲ ଦୋରାଙ୍କ ନିର୍ଦ୍ଦେଶନାରେ ବିଶ୍ୱବିଦ୍ୟାଳୟର ୭ ଜଣ ବର୍ତ୍ତମାନ ଓ ପୁରାତନ ଛାତ୍ରୀଙ୍କ କଣ୍ଠରେ ଏହି ଗୀତ ପ୍ରସ୍ତୁତ କରାଯାଉଛି। ଏହାର ଅବଧି ଅଢ଼େଇ ମିନିଟ୍‌ ଭିତରେ ରହିବ। ଏଥିରେ ‘ବିଶ୍ୱ ଦେଖ ମଧୁମୟ’ କବିତାର ମୁଖଡ଼ା ଓ ଦୁଇଟି ପଦ ରହିବ। ଏକ ମିଶ୍ରିତ ରାଗରେ ଏହାକୁ ପ୍ରସ୍ତୁତ କରାଯାଉଛି। ବୁଧବାର ବରଗଡ଼ରେ ଏହାର ଚୂଡ଼ାନ୍ତ ରେକର୍ଡିଂ କରାଯିବ ବୋଲି ଶ୍ରୀ ଦୋରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର