୨୫୦ କୋଟି ବ୍ୟୟରେ ଯୋବ୍ରା ଆନିକଟର ଖନନ

କଟକ :ଯୋବ୍ରା ଆନିକଟର ଜଳଧାରଣ କ୍ଷମତା ବୃଦ୍ଧି ପାଇବ। ଆନିକଟ ପାର୍ଶ୍ୱ ମହାନଦୀ ଭିତରେ ଥିବା ପଠାସବୁକୁ ଖନନ କରାଯାଇ ଗଭୀର କରାଯିବ। ଆଇଓସିଲ ସହଯୋଗରେ ଦୁଇବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଥିପାଇଁ ଟେଣ୍ଡର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଡିସେମ୍ବର ଶେଷସୁଦ୍ଧା କାମ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ,ଯୋବ୍ରା ଆନିକଟର ଜଳଧାରଣା କ୍ଷମତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି।

ଯୋଜନା ଅନୁଯାୟୀ ଯୋବ୍ରା ଆନିକଟ ମଧ୍ୟରେ ଥିବା ଛୋଟବଡ ଆଠଟି ପଠାକୁ ଅତ୍ୟାଧୁନିକ ବୈଷୟିକ ଉପାୟରେ ଖନନ କରାଯିବ। ମହାନଦୀକୁ ଗଭୀର କରାଯିବା ସହ ଏହିସବୁ ପଠାରୁ ମାଟି ଉଠାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ମାଟି ଓ ବାଲି ଉଠାଯିବା ପାଇଁ ସ୍ଥିର ହୋଇଥିବାବେଳେ ଏହାକୁ ଆନିକଟ ନିକଟସ୍ଥ ରିଙ୍ଗରୋଡ ପାର୍ଶ୍ୱ ଏବଂ ହାଡିଆପଠାରେ ପକାଯିବ। ରିଙ୍ଗରୋଡ ପାର୍ଶ୍ୱରେ ସିଟ ପାଇଲିଙ୍ଗ କରାଯାଇ ପ୍ରାୟ ଦୁଇ କିମି ରାସ୍ତାକୁ ଚଉଡା କରାଯାଇ ୬ ଲେନ କରାଯିବାକୁ ସ୍ଥିର ହୋଇଛି। ଏହିସବୁ ସିଟ ପାଇଲିଙ୍ଗ ସାଉଦିଆରବରୁ ଆମଦାନୀ ହୋଇ କଟକ ଆସିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ହାଡିଆପଠାରେ ବାଲି ଫିଲିଙ୍ଗ କରାଯିବା ପାଇଁ ସ୍ଥିର ହୋଇଥିବାବେଳେ ଏଠାରେ ଅବସ୍ଥାପିତ କରୁଥିବା ୭୦ ପରିବାରକୁ ବିସ୍ଥାପିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିଲାଗି ଜଳସମ୍ପଦ ବିଭାଗ କମିଶନରେଟ ପୁଲିସକୁ ଚିଠି ଲେଖିଛି। ଚେନ୍ନାଇ ଆଇଆଇଟିର ମାଷ୍ଟରପ୍ଲାନ ଅନୁଯାୟୀ ଯୋବ୍ରା ଆନିକଟର ଖନନ ହେବା ପାଇଁ ଚୂଡାନ୍ତ ହୋଇଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଆଇଓସିଲ ସହୟତାରେ ଏହାର ଖନନ କାର୍ଯ୍ୟ ହେଉଥିବାବେଳେ ଏଥିପାଇଁ ୨୫୦ କୋଟି ବ୍ୟୟବରାଦ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଓସିଲ ଏଥିପାଇଁ ୭୦ କୋଟି ଟଙ୍କା ପ୍ରଦାନ କରିଛି। ଜଳସମ୍ପଦ ବିଭାଗର ଅନୁମତି କ୍ରମେ ଓଡିଶା କନଷ୍ଟ୍ରକସନ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ହାତକୁ ନେଇଛି। ଚଳିତ ଡିସେମ୍ବର ଶେଷସୁଦ୍ଧା ଏହାର ଖନନ କାର୍ଯ୍ୟ ଆରମ୍ଭ ହେଉଥିବାବେଳେ ଆସନ୍ତା ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

ଅନ୍ୟପଟେ ଯୋବ୍ରା ଆନିକଟର ଏହି ଖନନ କାର୍ଯ୍ୟର ନିମୟିତ ବ୍ୟବଧାନରେ ତଦାରଖ କରିବେ ହାଇକୋର୍ଟ। କାର୍ଯ୍ୟର ଅଗ୍ରଗତି ନେଇ ହାଇକୋର୍ଟଙ୍କୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ରିପୋର୍ଟ ପ୍ରଦାନ କରିବା ନେଇ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ,ମହାନଦୀରୁ ଆଇଓସିଏଲ ପାଣି ନେବା ନେଇ ବିବାଦ ଦେଖାଦେବାରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣୀ କରି ହାଇକୋର୍ଟ ମହାନଦୀର ଯୋବ୍ରା ଠାରୁ ନରାଜଯାଏ ଖନନ ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କଟକ ଉପକଣ୍ଠରେ ଜଳଭଣ୍ଡାର ନିର୍ମାଣ ସହ ଶିଶୁଭବନକୁ ୧୦ କୋଟି ଟଙ୍କା ଏବଂ କମିଶନରେଟପୁଲିସକୁ ୩ କୋଟି ଟଙ୍କା ପ୍ରଦାନ ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ। ଏଥିସହିତ ବଡମେଡିକାଲକୁ ୫ଟି ଅତ୍ୟାଧୁନିକ ଆମ୍ବୁଲାନସ ଏବଂ ଯୋବ୍ରା ଆନିକଟର ଖନନ ପାଇଁ କୋର୍ଟ ରାୟରେ ଉଲ୍ଲେଖ କରିଥିଲେ। ଆରଡିସିଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ଟିମ ଗଠିତ ହୋଇ ଏହି ସବୁ କାର୍ଯ୍ୟର ଅନୁଧ୍ୟାନ ପାଇଁ ହାଇକୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଆଇଓସିଏଲ। ତେବେ ହାଇକୋର୍ଟଙ୍କ ଏହି ରାୟକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ।

ସମ୍ବନ୍ଧିତ ଖବର