ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ ପରିଣତ କରିବାଲାଗି ବିଜେପି ସଂକଳ୍ପ ନେଇଛି : ଯୋଗୀ ଆଦିତ୍ୟନାଥ

ରାଉରକେଲାରେ ଯୋଗୀ ଆଦିତ୍ୟନାଥ

ରାଉରକେଲା: ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲାଠାରେ ପହଞ୍ଚିଛନ୍ତି। ଯୋଗୀ ଆଦିତ୍ୟନାଥ ରାଉରକେଲାଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି। ଏହି ସଭାରେ ଉଦବୋଧନ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ‘ଓଡ଼ିଶା ହେଉଛି ଭଗବାନ ଜଗନ୍ନାଥଙ୍କ ଭୂମି। ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ ପରିଣତ କରିବାଲାଗି ବିଜେପି ସଂକଳ୍ପ ନେଇଛି।’ ମୋଦୀଜୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାଲାଗି ସାରା ଦେଶରେ ଲହର ଉଠିଛି ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।

ଓଡିଶାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ମର୍ମରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଯୋଗୀ ମଧ୍ୟ ବିଜେପିର ବାକି ତୁଙ୍ଗ ନେତାଙ୍କ ଭଳି ଓଡିଶା ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିବାକୁ ଭୁଲି ନଥିଲେ । ସଭା ମଂଚରୁ ଉଭୟ କଂଗ୍ରେସ ଏବଂ ବିଜେଡି ଉପରେ ଚିରାଚରିତ ଢଙ୍ଗରେ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

ଯୋଗୀ ଆହୁରି  ମଧ୍ୟ କହିଛନ୍ତି, ୪କୋଟି ପରିବାରକୁ ବିଦ୍ୟୁତ ମିଳିଛି । ସାଢେ ୧୨କୋଟି ଚାଷୀଙ୍କୁ ପିଏମ କିଷାନ ଯୋଜନାର ଲାଭ ମିଳିଛି । ୩୭କୋଟି ଗରିବଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ପିଏମ ମୁଦ୍ରା ଯୋଜନାରେ ଯୁବକଙ୍କୁ ସ୍ୱାବଲମ୍ବୀ କରାଯାଇଛି । ରାଉରକେଲାକୁ ସ୍ମାର୍ଟସିଟି ଘୋଷଣା କରାଯାଇଛି । ରାଉରକେଲା ବିମାନ ବନ୍ଦର ଛୋଟ ଥିଲା ଆଜି ଏହା ବଡ ଟର୍ମିନାଲ ହେବାକୁ ଯାଉଛି । ଏହାକୁ ଉଡାନ ଯୋଜନାରେ ସାମିଲ କରାଯାଉଛି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର କାମ ବିଜେପି ସରକାର କରିଛି । ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଟି ହସ୍ପିଟାଲ ହେବାକୁ ଯାଉଛି । ଆଉ ଏହାକୁ ସମ୍ଭବ କେବଳ ମୋଦିଜୀ ହିଁ କରିଦେଖାଇଛନ୍ତି ।

ଏଥି ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଯୋଗୀ। ସେ କହିଥିଲେ,  ରାଜ୍ୟ ସରକାର କେନ୍ଦ୍ରୀୟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି । ଚିଟଫଣ୍ଡ, ଖଣି ଦୁର୍ନୀତି ରାଜ୍ୟରେ ହୋଇଛି । ନବୀନ ପଟ୍ଟନାୟକ ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ରୋକିଛନ୍ତି । ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର । କିନ୍ତୁ ଏହାକ ବିନିଯୋଗ ଓଡିଶାର ବିକାଶ ପାଇଁ ହୋଇ ପାରୁନି । ଏହା କେବଳ ବିଜେପି ସରକାର ଆସିଲେ କରିପାରିବ । କେନ୍ଦ୍ର ଏବଂ ରାଜ୍ୟରେ ଗୋଟିଏ ସରକାର ହେଲେ ନୂଆ ଓଡିଶା ଗଠନ ହେବ । ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତେ ରୋଜଗାର ପାଇବେ । ରାଜ୍ୟରେ ବିଜେପି ସରକାର ଆସିବା ଉଚିତ ବୋଲି କହିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକସଭା ଲାଗି ବିଜେପି ପ୍ରାର୍ଥୀ ଜୁଏଲ୍ ଓରାମ୍, ରାଉରକେଲା ବିଧାନସଭା ଲାଗି ବିଜେପି ପ୍ରାର୍ଥୀ ନିହାର ରାୟଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି। ଏହାପରେ ଯୋଗୀ ଆଦିତ୍ୟନାଥ ଅନଗୁଳରେ ଦଳର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ।

ସମ୍ବନ୍ଧିତ ଖବର