ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ଗିରଫ, ୪ ଅଭିଯୁକ୍ତଙ୍କ ଜାମିନ ଖାରଜ

କେନ୍ଦୁଝର : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ହୋଇଥିବା ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ କେନ୍ଦୁଝର ଟାଉନ ଥାନା ପୁଲିସ ଆଜି ଆଉ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକ ଜଣକ ହେଲେ ସୀମାଞ୍ଚଳ ପାତ୍ର। ସେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ପୁଲିସ ସୂଚନା ଦେଇଛି। ସୀମାଞ୍ଚଳଙ୍କ ଗିରଫ ପରେ ଏହି ସଂଖ୍ୟା ୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ସ୍ଥାନୀୟ ସେସନ୍ସ କୋର୍ଟରେ ପୂର୍ବରୁ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଯାଇଛି। ସୂଚନା‌ଯୋଗ୍ୟ, କିଛିଦିନ ତଳେ ଏକ ଅଶ୍ଳୀଳ ଭିଡିଓ ଓ କିଛି ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିଲା। ଏହି ଭିଡିଓ ଓ ଫଟୋ ସାଂସଦ ପ୍ରାର୍ଥୀଙ୍କର ବୋଲି ଗୁଜବ ସୃଷ୍ଟି କରାଯାଇଥିଲା। ସାଂସଦ ପ୍ରାର୍ଥୀଙ୍କ ସଂପର୍କୀୟ ସୌଭାଗ୍ୟ ସୋରେନ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ପ୍ରଥମେ ବିଜେପି ଆଇଟି ସଂଯୋଜକ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକକଙ୍କୁ ଗିରଫ କରିଥିଲା। ପରେ ଭଦ୍ରକରୁ ବିଜେପି କର୍ମକର୍ତ୍ତା ଚିନ୍ମୟ ସେନାପତି ଓ ଭୁବନେଶ୍ବରର ଏକ ୱେବ୍‌ ପୋର୍ଟାଲ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ଆଜି ଏମାନଙ୍କ ଜାମିନ ସେସନ୍ସ କୋର୍ଟରେ ଖାରଜ ହୋଇଛି।

ସମ୍ବନ୍ଧିତ ଖବର