ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା : ନିମ୍ନ ଅଦାଲତ ରେକର୍ଡ ତଲବ

କଟକ : ଗାଞ୍ଜାମ ଜିଲ୍ଲାର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଗିରଫ ହୋଇଥିବା ପି.ଶ୍ୟାମସୁନ୍ଦର ପୃଷ୍ଟିଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ନିମ୍ନ ଅଦାଲତ ରେକର୍ଡ ତଲବ କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଜୁଲାଇ ୫ ତାରିଖ ସୁଦ୍ଧା ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ନାୟକ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪, ମେ’ ୨୭ରେ ସାମ୍ବାଦିକ ଆଚାର୍ଯ୍ୟ ଏକ ବାଇକରେ ନିଜ ଗାଁ ବିକ୍ରମପୁରକୁ ଫେରୁଥିବାବେଳେ ଖଲ୍ଲିକୋଟ ଅବକାରୀ ଅଫିସ ପାଖରେ କିଛି ଅପରାଧୀ ତାଙ୍କୁ ଏକ ଛୁରୀରେ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ମାମଲାରେ ପୁଲିସ ଅନ୍ୟ ଅଭିଯୁକ୍ତଙ୍କ ସହିତ ଖଲ୍ଲିକୋଟରେ ଥିବା କାଜୁ ପ୍ରୋସେସିଂ ୟୁନିଟର ମାଲିକ ଶ୍ରୀ ପୃଷ୍ଟିଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର