ଜୁଆଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ : ଜଣେ ଅଟକ, ଏସ୍‌ଡିପିଓଙ୍କ ତଦନ୍ତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଝବାହାଳ ଗ୍ରାମରେ ଜଣେ ଆଦିବାସୀ ଜୁଆଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ଯୁବତୀ ଜଣଙ୍କ ବିଞ୍ଝବାହାଳ ଗ୍ରାମକୁ ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ଯାଇଥିଲେ। ୪ରୁ ୫ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀଙ୍କ ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ବିଞ୍ଝବାହାଳ ଗ୍ରାମରେ ପଞ୍ଚୁଦୋଳ ଉତ୍ସବ ଅବସରରେ ସ୍ଥାନୀୟ ଯୁବକଙ୍କ ଦ୍ବାରା ଅପେରା ମଞ୍ଚସ୍ଥ ହେଉଥିଲା। ଗତକାଲି ରାତିରେ ନିକଟସ୍ଥ ଗ୍ରାମର ଜଣେ ଜୁଆଙ୍କ ଯୁବତୀ ନିଜ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହ ଅପେରା ଦେଖିବାକୁ ଆସିଥିଲେ। ରାତି ପ୍ରାୟ ୩ଟା ବେଳେ ଯୁବତୀଙ୍କ ସମେତ ୩ ଜଣ ପରିସ୍ରା କରିବା ପାଇଁ ବାହାରକୁ ଆସିଥିଲେ। ଯୁବତୀଙ୍କୁ ବିଞ୍ଝବାହାଳ ସମେତ ପାଲଲହଡ଼ା ଥାନା ସିମିଳିପାଳ ଗ୍ରାମର ୪ରୁ ୫ ଜଣ ଯୁବକ ପାଖ ସ୍କୁଲ ପଡ଼ିଆକୁ ଉଠାଇ ନେଇଥିଲେ। ସେଠାରେ ୩ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଜଣେ ଦୁଷ୍କର୍ମକାରୀକୁ ସଂପୃକ୍ତ ଯୁବତୀ ଚିହ୍ନିଥିବା ପୁଲିସ ଆଗରେ କହିଛନ୍ତି।

ଆଜି ଯୁବତୀଜଣଙ୍କ ତେଲକୋଇ ଥାନାରେ ଏତଲା ଦେବା ପରେ ପୁଲିସ କେସ ନମ୍ବର ୩୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖିଛି। ସଦର ଏସ୍‌ଡିପିଓ ପ୍ରକାଶ ଜେମ୍ସ ଟପ୍ପୋ ପହଞ୍ଚି ପୀଡ଼ିତାଙ୍କୁ ପଚରା ଉଚରା କରିଛନ୍ତି।ଏ ନେଇ ଆଇଆଇସି ପଦ୍ମାସିନୀ ମେହେରଙ୍କୁ ପଚାରିବାରୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର