ନାବାଳିକା ଦୁଷ୍କର୍ମ ମାମଲା, ଅଙ୍ଗନବାଡ଼ି କେନ୍ଦ୍ରରେ ୬ ମାସ ସଫେଇ କରିବ ଅଭିଯୁକ୍ତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଗତ ୨୦୧୬ ମସିହାରେ ନାବାଳିକା ଦୁଷ୍କର୍ମ ମାମଲାରେ ସହଯୋଗ କରିଥିବା ଜନୈକ ନାବାଳିକାକୁ ଦୋଷୀ ସାବ୍ୟସ୍ତ କରାଯାଇ ୬ ମାସ ଅଙ୍ଗନବାଡି କେନ୍ଦ୍ରରେ ସଫାସୁତରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ମସିହା ଫେବୃଆରୀ ୨ ତାରିଖରେ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଏଥିରେ ପୀଡିତା ନାବାଳିକାର ଜଣେ ନାବାଳିକା ସାଙ୍ଗ ଅଭିଯୁକ୍ତ ଯୁବକକୁ ସାହାଯ୍ୟ କରିଥିଲା। ଏନେଇ ପୀଡିତା ନାବାଳିକାର ପରିବାର ପକ୍ଷରୁ ରାଇକିଆ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ ନ˚ ୨୨/୨୦୧୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ଅଭିଯୁକ୍ତ ନାବାଳିକାକୁ ଜୁଭେଲାଇନ କୋର୍ଟକୁ ପଠାଇଥିଲା। ଏହି ମାମଲାର ବିଚାର କରି ସ୍ବତନ୍ତ୍ର ଟ୍ରାକ କୋର୍ଟ ବିଚାରପତି ଅଭିଜିତ୍‌ ପଲେଇ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ନାବାଳିକାକୁ କ.ନୂଆଗାଁ ବ୍ଲକ ଗୁଡ୍ରିକିଆ ଗାଁର ଅଙ୍ଗନବାଡି କେନ୍ଦ୍ରରେ ୬ ମାସ ସଫାସୁତରା କରିବ ବୋଲି ରାୟ ଦେଇଛନ୍ତି। ଜୁଭେଲାଇନ ଜଷ୍ଟିସ ବୋର୍ଡର ସଦସ୍ୟ ଓ ସଦସ୍ୟା ରାୟ ସମୟରେ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅତିରିକ୍ତ ପିପି ପ୍ରତାପ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର