କଚ୍ଛପ ଗତିରେ ଚାଲିଛି ଶୁଣାଣି

ସୂଚନା କମିସନଙ୍କ ପାଖରେ ପଡ଼ିଛି ୯୧୫୦ ମାମଲା, ୯ମାସରେ ହୋଇଛି ମାତ୍ର ୧୬୮ ମାମଲାର ଫଇସଲା

ଭୁବନେଶ୍ୱର: ହଜାର ହଜାର ମାମଲା କମିସନ୍‌ଙ୍କ ନିକଟରେ ପଡ଼ି ରହିଛି। ଶୁଣାଣି ହୋଇପାରୁ ନାହିଁ। ଗତ ୯ମାସ ମଧ୍ୟରେ ମାତ୍ର ୧୬୮ଟି ମାମଲାର ଫଇସଲା ହୋଇଛି। ରାଜ୍ୟ ସୂଚନା କମିସନ୍‌ରେ ଶୁଣାଣି ଏମିତି କଚ୍ଛପ ଗତିରେ ଚାଲିଛି। ସୂଚନା ଅଧିକାରୀ କର୍ମୀଙ୍କ କହିବା କଥା, ଯଦି ଏଭଳି ଢଙ୍ଗରେ ଶୁଣାଣି ଜାରି ରହେ, ତେବେ ସବୁ ମାମଲାର ଶୁଣାଣି ଶେଷ ହେବାକୁ ଆହୁରି ୫ବର୍ଷ ଲାଗିବ।

ସୂଚନା ଆଇନ ବଳରେ ଗତବର୍ଷ ଅଗଷ୍ଟ ମାସରୁ ଚଳିତବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ କେତେ ସଂଖ୍ୟକ ମାମଲାର ଶୁଣାଣି ହୋଇଛି ଓ କେଉଁ ସୂଚନା କମିସନର କେତେ ସଂଖ୍ୟକ ଶୁଣାଣି କରିଛନ୍ତି ତାହାର ତଥ୍ୟ ମଗାଯାଇଥିଲା।ମିଳିଥିବା ତଥ୍ୟ ଅନୁସାରେ, ମୁଖ୍ୟ ସୂଚନା କମିସନର୍‌ଙ୍କୁ ମିଶାଇ ଅନ୍ୟ ୨ଜଣ କମିସନର୍‌ ସମୁଦାୟ ୧୬୮ଟି ମାମଲାର ଫଇସଲା କରିଛନ୍ତି। ସେହିପରି ଦ୍ୱିତୀୟ ଆବେଦନ ବା ସେକେଣ୍ଡ ଅପିଲରେ ପଡ଼ି ରହିଥିବା ହଜାର ହଜାର ମାମଲାରୁ ମାତ୍ର ୧୩୫୭ଟି ମାମଲାର ଫଇସଲା ହୋଇପାରିଛି। ଗତ ୯ମାସ ମଧ୍ୟରେ ମୁଖ୍ୟ ସୂଚନା କିମସନର ସୁନିଲ କୁମାର ମିଶ୍ରଙ୍କ ନିକଟକୁ ୩୬୦ଟି ମାମଲା ଆସିଛି। ତହିଁରୁ ମାତ୍ର ୫୩ଟି ମାମଲାର ଫଇସଲା ହୋଇଛି। କମିସନର୍‌ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ୩୮୬ଟି ମାମଲାରୁ ମାତ୍ର ୮୪ଟି ମାମଲାର ଫଇସଲା କରିଛନ୍ତି। ଦ୍ୱିତୀୟ ସୂଚନା କମିସନର ଶଶିପ୍ରଭା ବିନ୍ଧାଣି ସବୁଠାରୁ କମ୍‌ ୩୧ଟି ମାମଲାର ଫଇସଲା କରିଛନ୍ତି। ସେହିପରି ଦ୍ୱିତୀୟ ଆବେଦନରେ ମୁଖ୍ୟ ସୂଚନା କମିସନର୍‌ଙ୍କ ନିକଟରେ ପଡ଼ି ରହିଥିବା ୨୦୦୩ଟି ମାମଲାରୁ ୭୧୫ଟି ମାମଲାର ଫଇସଲା ହୋଇଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ ନିକଟରେ ଥିବା ୧୭ଶହ ମାମଲାରୁ ୪୨୭ ଓ ଶ୍ରୀମତୀ ବିନ୍ଧାଣି ୨୧୫ଟି ମାମଲାର ଫଇସଲା କରିଛନ୍ତି। ତାଙ୍କ ନିକଟକୁ ଉଭୟ ପ୍ରଥମ ଆବେଦନ ଓ ଦ୍ୱିତୀୟ ଆବେଦନକୁ ମିଶାଇ ସମୁଦାୟ ୮୪୯ଟି ମାମଲା ଆସିଥିଲା। ଅର୍ଥାତ୍‌ ଏହି ୯ମାସ ମଧ୍ୟରେ ମୁଖ୍ୟ ସୂଚନା କମିସନର ସର୍ବାଧିକ ୨୩୬୩ଟି ମାମଲାର ଶୁଣାଣି କରିଛନ୍ତି। ଏହି ୯ମାସରେ ମୁଖ୍ୟ ସୂଚନା କମିସନର୍‌ ମାସକୁ ୧୪ଦିନ ହିସାବରେ ସମୁଦାୟ ୧୩୭ଦିନ ଶୁଣାଣି କରିଛନ୍ତି। ଶ୍ରୀମତୀ ବିନ୍ଧାଣି ୧୨୬ଦିନ ଓ ଶ୍ରୀ ପଟ୍ଟନାୟକ ମାସକୁ ୧୫ଦିନ ହିସାବରେ ସମୁଦାୟ ୧୩୭ଦିନ ଶୁଣାଣି କରିଥିବା ତଥ୍ୟ ସୂଚାଉଛି। ଜରିମାନା ଆଦାୟରେ ମଧ୍ୟ ୩ କମିସନର୍‌ଙ୍କ ପ୍ରଦର୍ଶନ ୨%ରୁ ଅଧିକ ନୁହେଁ। ମୁଖ୍ୟ ସୂଚନା କମିସନର୍‌ ମାତ୍ର ୧୫ଟି ମାମଲାରେ ୨ଲକ୍ଷ ୧୫ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ୯ଟି ମାମଲାରେ ୨ଲକ୍ଷ ୨୫ହଜାର ୧ଟଙ୍କା ଓ ଶ୍ରୀମତୀ ବିନ୍ଧାଣି ଗୋଟିଏ ମାମଲାରେ ୫ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସୂଚନା କମିସନର୍‌ଙ୍କ ନିକଟରେ ଚଳିତବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ଉଭୟ ଅଭିଯୋଗ ଓ ଦ୍ୱିତୀୟ ଆବେଦନକୁ ମିଶାଇ ୯୧୫୦ଟି ମାମଲାର ପଡ଼ି ରହିଛି। ଯଦି ଏହି ଢଙ୍ଗରେ ଶୁଣାଣି ଜାରି ରହେ ତେବେ ସମସ୍ତ ମାମଲାର ଫଇସଲା ୨୦୨୩ ମସିହା ବେଳକୁ ଶେଷ ହେବ ବୋଲି କହିଛନ୍ତି ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ। ରାଜ୍ୟରେ ମୁଖ୍ୟ ସୂଚନା କମିସନରଙ୍କୁ ମିଶାଇ ଆହୁରି ୧୦ଜଣ କମିସନର୍‌ଙ୍କ ଆବଶ୍ୟକତା ଥିବା ବେଳେ ଏବେ ମାତ୍ର ୩ଜଣ ଅଛନ୍ତି। ତେଣୁ ମାମଲା ଶୁଣାଣିରେ ବିଳମ୍ବ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର