ଦିଗହରା ପରିବାର ଅଦାଲତ ଆଇନ : ଅଧିକାଂଶ ବିଚାରପତି ପଦ ଖାଲି

କଟକ : ପରିବାର ଅଦାଲତ ଆଇନ (ଫ୍ୟାମିଲି କୋର୍ଟସ୍‌ ଆକ୍ଟ), ୧୯୮୪ ରାଜ୍ୟରେ ଏକ ପ୍ରକାର ଦିଗହରା ହୋଇଛି। ମହିଳାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରଣୟନ କରାଯାଇଥିବା ବେଳେ ରାଜ୍ୟରେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ପରିବାର ଅଦାଲତ ମଧ୍ୟରୁ କେତେକରେ ବିଚାରପତି ନାହାନ୍ତି। ଏପରି ପରିସ୍ଥିତିରେ ପରିବାର ଅଦାଲତ ଗୁଡିକ କାର୍ଯ୍ୟ କରିବାରେ ଅନେକ ସମୟରେ ବାଧା ସୃଷ୍ଟି ହେଉଛି। ଫଳରେ ପରିବାର ଅଦାଲତ ଆଇନ ଯେଉଁ ଉଦ୍ଦେଶ୍ୟ ରଖି ପ୍ରଣୟନ କରାଯାଇଥିଲା ତାହା ସାଧିତ ହୋଇ ପାରୁ ନାହିଁ। ଏପରି ସମସ୍ୟା ଲାଗି ରହିଥିବା ବେଳେ ଆଇନଜୀବୀ ଅନଙ୍ଗ କୁମାର ଓତା ହାଇକୋର୍ଟରେ ଆଇନଜୀବୀ ସୁଶାନ୍ତ କୁମାର ଦାଶଙ୍କ ଜରିଆରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଶ୍ରୀ ଓତାଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ମହିଳା ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଦାବି ପରେ କେନ୍ଦ୍ର ସରକାର ବୈବାହିକ ବିବାଦର ସମାଧାନ ପାଇଁ ଫ୍ୟାମିଲି କୋର୍ଟସ୍‌ ବିଲ୍‌ ୧୯୮୪ ଆଣିଥିଲେ। ୧୯୮୪, ଜୁନ୍‌ ୧୪ରେ ଏହି ବିଲ୍‌ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ଫ୍ୟାମିଲି କୋର୍ଟସ୍‌ ଆକ୍ଟ, ୧୯୮୪ କାର୍ଯ୍ୟକାରୀ ହୋଇଥିଲା। ୧୯୮୯, ମେ’ ୧ରେ ଓଡ଼ିଶାରେ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନର ଧାରା ୩ ଅନୁସାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ସହିତ ପରାମର୍ଶ ପରେ ବିଭିନ୍ନ ସ୍ଥାନରେ ପରିବାର ଅଦାଲତ ପ୍ରତିଷ୍ଠା କରି ପାରିବେ ଓ ଧାରା ୪ରେ ପରିବାର ଅଦାଲତ ପାଇଁ ବିଚାରପତି ନିଯୁକ୍ତି କରି ପାରିବେ। ଗୋଟିଏ ପରିବାର ଅଦାଲତରେ ଏକାଧିକ ବିଚାରପତିଙ୍କ ନିଯୁକ୍ତି ପାଇଁ ଧାରା ୪ରେ ବ୍ୟବସ୍ଥା ରହିଛି। ପରିବାର ଅଦାଲତରେ ପ୍ରିନ୍ସିପାଲ ଜଜ୍‌ଙ୍କ ସହିତ ଜଣେ ଅତିରିକ୍ତ ଜଜଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ପାରିବ। ପ୍ରିନ୍ସିପାଲ ଜଜ୍‌ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜଜ୍‌ ତାଙ୍କ କ୍ଷମତା ପ୍ରୟୋଗ କରି ମାମଲାର ଶୁଣାଣି କରି ପାରିବେ। ଧାରା ୪(୩) ଅନୁସାରେ ଅତି କମ୍‌ରେ ୭ ବର୍ଷ ଜଣେ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବା କଥା। ଏଥି ସହିତ ହାଇକୋର୍ଟରେ ୭ ବର୍ଷର ଓକିଲାତି ଅନୁଭବ ଥିବା ବ୍ୟକ୍ତି ମଧ୍ୟ ପରିବାର ଅଦାଲତରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିବେ। କିନ୍ତୁ ରାଜ୍ୟରେ କେବଳ ଅନୁଭବୀ ବିଚାରବିଭାଗୀୟ ଅଧିକାରୀଙ୍କୁ ପରିବାର ଅଦାଲତରେ ବିଚାରପତି ଭାବେ ନିଯୁକ୍ତି ଦିଆଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କିନ୍ତୁ ଅନେକ ସମୟରେ ଉପଯୁକ୍ତ ବିଚାରବିଭାଗୀୟ ଅଧିକାରୀଙ୍କ ଅଭାବରୁ ପରିବାର ଅଦାଲତରେ ବିଚାରପତି ପଦ ଖାଲି ପଡି ରହୁଛି।

ଅନ୍ୟପକ୍ଷରେ ଧାରା ୪(୩) ଅନୁସାରେ ଅନୁଭବୀ ଓକିଲଙ୍କୁ ଏହି ପଦରେ ନିଯୁକ୍ତି ଲାଗି ସୁଯୋଗ ଦିଆଯାଉ ନାହିଁ। ତିନି ଦଶନ୍ଧି ଧରି ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଓକିଲଙ୍କୁ ପରିବାର ଅଦାଲତ ବିଚାରପତି ଭାବେ ନିଯୁକ୍ତି ଦିଆଯାଉ ନାହିଁ। ଏଥି ସହିତ ପରିବାର ଅଦାଲତ ଗୁଡିକରେ ମାମଲାର ଚାପକୁ ବିଚାରକୁ ନେଇ ଅତିରିକ୍ତ ବିଚାରପତିଙ୍କୁ ନିଯୁକ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଉ ନାହିଁ। ଫଳରେ କଟକ ସମେତ ଅନ୍ୟ କେତେକ ପରିବାର ଅଦାତଲରେ ଅନେକ ସମୟରେ ଅଚଳାବସ୍ଥା ସୃଷ୍ଟି ହେଉଛି। ପରିବାର ଅଦାଲତ ଗୁଡିକରେ ମାମଲା ସଂଖ୍ୟା ବଢିବା ସହିିତ ଲୋକମାନେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ପରିବାର ଅଦାଲତ ଆଇନ ପ୍ରଣୟନର ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନାହିଁ। ଏପରି ପରିସ୍ଥିତିରେ ପରିବାର ଅଦାଲତ ବିଚାରପତି ନିିଯୁକ୍ତି ପ୍ରକ୍ରିୟାରେ ପରିବାର ଅଦାଲତ ଆଇନର ଧାରା ୪(୩) ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ତୁରନ୍ତ ସବୁ ପରିବାର ଅଦାଲତର ବିଚାରପତି ପଦ ପୂରଣ କରିବା ସହିତ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, କେନ୍ଦ୍ର ଆଇନ ସଚିବ, ରାଜ୍ୟ ଗୃହ ସଚିବ, ଆଇନ ଳସଚିବ ଓ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ସ୍ୱେତଲିନା ଦାସ, ଆଶୁତୋଷ ସାହୁ ଓ ସ୍ମୃତି ମହାନ୍ତି ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର