ଜୁଗାର୍‌ର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ : ଲିଖିତ ସାହିତ୍ୟ ହିଁ କଥିତ ଭାଷାକୁ ସମୃଦ୍ଧ କରିପାରିବ

ଭାଷା ସାହିତ୍ୟର ଉନ୍ନତି ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ: ଜଷ୍ଟିସ ପୂଜାହାରୀ
ପଶ୍ଚିମ ଓଡ଼ିଶା ଦକ୍ଷତା ବିକାଶରେ ଆଗୁଆ: ସୁବ୍ରତ ବାଗ୍‌ଚି
ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ ମାଧ୍ୟମରେ ବି ଭାଷା ବିକାଶ ସମ୍ଭବ: ସୌମ୍ୟରଞ୍ଜନ
ବରଗଡ଼ ମାଟି ଓଡ଼ିଶାର ପରୀକ୍ଷାଗାର: ରଣଜିତ ଗୁରୁ

ବରଗଡ଼ :‌ ଢୋଲ, ନିଶାନ, ତାସା ବାଜିଲେ ପ୍ରତିଟି ମଣିଷର ନାଚିବାକୁ ଇଚ୍ଛା ହୁଏ। ସେ ଯେକୌଣସି ପଦପଦବିରେ ଥାଉ ନା କାହିଁକି। ଏ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଅତି ମହାନ। ସ୍ପଷ୍ଟବାଦିତା ଆମ ଅଞ୍ଚଳବାସୀଙ୍କ ବିଶେଷତ୍ବ। ଆମ ଅଞ୍ଚଳର ଅନେକ ଲୋକ ନିଜକୁ ଭିନ୍ନଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କରି ପାରିଛନ୍ତି। ବର୍ତ୍ତମାନ ଆମେ ସମସ୍ତେ ମିଳିତଭାବେ ନିଜ ଭାଷା ଓ ସାହିତ୍ୟକୁ ପ୍ରତି‌ଷ୍ଠା ଦେବା ନିମନ୍ତେ ଉଦ୍ୟମ କରିବା ଦରକାର ବୋଲି ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାହାରୀ କହିଛନ୍ତି। ‘ଜୁଗାର’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବକୁ ଉଦ୍‌ଘାଟନ କରି ଜଷ୍ଟିସ୍‌ ପୂଜାହାରୀ ଏହା କହିଛନ୍ତି।

ବରଗଡ଼ର ସାଇକ୍ରି‌ଷ୍ଣା ପ୍ୟାଲେସ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ନିଜର ସଭାପତି ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଆମେ ଭାଷା ବ୍ୟବହାର କରୁଥିବାରୁ ଅନ୍ୟମାନଙ୍କଠାରୁ ଭିନ୍ନ। ବିନା ଭାଷାରେ ସଭ୍ୟତା କଥା ଚିନ୍ତା କରାଯାଇ ପାରେନା। ତେବେ କଥିତ ଭାଷା ଲିଖିତ ନହେବା ଯାଏ ସାହିତ୍ୟ ସମୃଦ୍ଧ ହେବ ନାହିଁ। କଥିତ ଭାଷା ଭାବେ ସମ୍ବଲପୁରୀ/କୋଶଲି ଯେତେ ସମୃଦ୍ଧ ଲିଖିତ ଭାବେ ସେତେ ଉନ୍ନତ ହୋଇ ନାହିଁ। ତେଣୁ ଏହି ଭାଷାର ଉନ୍ନତି ପାଇଁ ଅଧିକରୁ ଅଧିକ ଲିଖିତ ସାହିତ୍ୟ ସୃଷ୍ଟି କରିବାକୁ ହେବ।

ଭାଷା ଓ ଭାବନାକୁ ନେଇ ଯେଉଁ ଖେଳ ଖେଳାଯାଏ ତାହା ହେଲା ସାହିତ୍ୟ। ସମୂହ ହିତ ପାଇଁ ଯାହାର ସୃଷ୍ଟି ତାହା ହେଲା ସାହିତ୍ୟ। ‌ତେଣୁ ସାହିତ୍ୟର ବିକାଶ ପାଇଁ ଆମ ଯୁବ ପିଢ଼ିକୁ ଉତ୍ସାହିତ କରାଯିବା ଦରକାର। ତେବେ କାରିଗରୀ‌ କୌଶଳର ଏହି ସମୟରେ ଆମ ଯୁବପିଢ଼ିକୁ ଭାଷା ଓ ସାହିତ୍ୟରେ ବାନ୍ଧି ରଖିବାକୁ ହେଲେ ଆମକୁ ସେମାନଙ୍କ ପସନ୍ଦ ଅନୁଯାୟୀ ତାଙ୍କ ପାଖରେ ପହଞ୍ଚିବାକୁ ହେବ। ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍‌ ମାଧ୍ୟମରେ ବି ଭାଷା ଓ ସାହିତ୍ୟର ବିକାଶ କରାଯାଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଲେ, ‌ପଶ୍ଚିମ ଓଡ଼ିଶାର ଐତିହ୍ୟ ବିଶ୍ବବିଦିତ। ଏହି ଅଞ୍ଚଳର ଅଗଣିତ କଳା ଓ ସଂସ୍କୃତିର ପୂଜାରୀଙ୍କ ପାଇଁ ଏହା ପ୍ରସିଦ୍ଧି ଲାଭ କରିଛି। ପଶ୍ଚିମ ଓଡ଼ିଶାର ଯୁବକଯୁବତୀମାନେ ବିଶ୍ବ ଦରବାରରେ ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ମୁନି ଟିଗ୍‌ଗା, ବାସନ୍ତୀ ପ୍ରଧାନଙ୍କ ଭଳି ଏ ଅଞ୍ଚଳର ଯୁବତୀମାନେ ଅତି ସାଧାରଣ ପରିବାରରୁ ଆସି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହେବା ସହ ପରିବାରର ଅଭାବ ଦୂର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ନାଁ କରିଛି ଓ ପଶ୍ଚିମ ଓଡ଼ିଶା ସେଥିରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।

ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ କହିଲେ, ସାରା ବିଶ୍ବରେ ବିଭିନ୍ନ ଭାଷା ସଂକଟ ଦେଇ ଗତି କଲାବେଳେ ଆମ ଭାଷା ସମ୍ବଲପୁରୀ/କୋଶଲି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ‘ଜୁଗାର’ର ଏଥିରେ ମହତ୍ବପୂର୍ଣ୍ଣ ଅବଦାନ ରହିଛି ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ‘ଜୁଗାର’ ବକ୍ତବ୍ୟ ରଖି ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ରଣଜିତ ଗୁରୁ କହିଲେ, ବରଗଡ଼ ମାଟି ହେଉଛି ଓଡ଼ିଶାର ପରୀକ୍ଷାଗାର। କୃଷି, ସମବାୟ, ଶିଳ୍ପ, ବୟନ, ରାଜନୀତି, କୃଷକ ଆନ୍ଦୋଳନ, ପରିବେଶ ଆନ୍ଦୋଳନ, ସାହିତ୍ୟ, ଶିକ୍ଷା ସବୁ କିଛିର ପରୀକ୍ଷା ନିରୀକ୍ଷା ବରଗଡ଼ରେ ହୋଇଛି। ‘ଜୁଗାର’ ଏକ ଉଲ୍‌ଗୁଲାନ। ଏହାକୁ ବରଗଡ଼ ମାଟି ଆହୁରି ବଳ ଦେଉ ବୋଲି ଶ୍ରୀ ଗୁରୁ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଜିର ବିଶିଷ୍ଟ ଅତିଥି ଗଣ ଅତି ସାଧାରଣ ପରିବାରରୁ ଆସି ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିଛନ୍ତି ବୋଲି ଅତିଥିଙ୍କ ପରିଚୟ ଦେଇ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ କହିଥିଲେ। ଶେଷରେ ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର