ମାଈ ହାତୀର ମୃତଦେହ ଠାବ

ଉଦଳା(୧) : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପୁଣି ହୋଇଛି ହାତୀମୃତ୍ୟୁ। ଆଜି ସକାଳେ ଶିମିଳିପାଳ ପାଦଦେଶରେ ଉଦଳା ରେଞ୍ଜ୍‌ ଅନ୍ତର୍ଗତ ମାଟିହୁଡ଼ି ବିଟ୍‌ ସାରବସା ଗାଁ ନିକଟ ଜଙ୍ଗଲରେ ଏକ ମାଈହାତୀର ମୃତଦେହ ଠାବ କରାଯାଇଛି। ଏ ଖବର ପାଇବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ହାତୀର ଉଚ୍ଚତା ୭ଫୁଟ ହୋଇଥିଲାବେଳେ ବୟସ ଆନୁମାନିକ ୨୦ ବର୍ଷ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।

ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍‌ କୁମାର ମଲ୍ଲିକ ଓ ଶିମିଳିପାଳ ଡେପୁଟି ଡାଇରେକ୍ଟର ଯଜ୍ଞଦତ୍ତ ପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବାରିପଦା ଓ ଉଦଳା ପ୍ରାଣୀ ଚିକିତ୍ସାଳୟର ଭିଏସ୍‌ ହାତୀ ମୃତ୍ୟୁର କାରଣ ଖୋଜିଥିଲେ। ଡିଏଫ୍‌ଓ ମଲ୍ଲିକଙ୍କ କହିବାନୁସାରେ, ‘ଏହି ଜଙ୍ଗଲଟି ହାତୀ ଚଳପ୍ରଚଳ ଏରିଆ। ଏଣୁ ହାତୀଟି ଏପଟକୁ ଆସିଥିଲା। କୌଣସି କାରଣରୁ ପଡ଼ିଯିବାରୁ ଆଉ ଉଠି ପାରି ନ ଥିବାରୁ ସେଠାରେ ମୃତ୍ୟୁ ହୋଇଛି।’ ଅପରପକ୍ଷେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତୀର ମାଡ଼ ହେବା ଯୋଗୁ ହାତୀଟିର ମୃତ୍ୟୁ ହୋଇଛି। ଦିନକୁ ଦିନ ଶିମିଳିପାଳ ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାର ବଢ଼ି ଚାଲିଥିଲାବେଳେ ହାତୀମୃତ୍ୟୁ ମଧ୍ୟ ସେଥିରୁ ଗୋଟିଏ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର