ଶିମିଳିପାଳରେ ପୁଣି ହାତୀ ମୃତ୍ୟୁ

କପ୍ତିପଦା/ନୂଆସାହି/ଶାଳଚୁଆ : ଶିମିଳିପାଳରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ଦୁଇ/ତିନିଦିନ ପୂର୍ବରୁ ହାତୀଟି ମରିଥିବା ଅନୁମାନ କରାଯାଉଛି। ଆଜି ବନ ବିଭାଗ ଏହାକୁ ଠାବ କରିଛି। ହାତୀର ମୃତ୍ୟୁ ସ୍ୱାଭାବିକ ବୋଲି ବାରିପଦା ଏସିଏଫ୍‌ ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳର କମ୍ପାର୍ଟମେଣ୍ଟ (ଟିକେ ୧୦) ଖୁଦୁପୁଟୁଳୀ ନିକଟ ଅଡ଼ାପାଇ ନିକଟରେ ହାତୀର ଗଳିତ ଶବଟି ପଡ଼ିଥିଲା। ହାତୀଟି ମାଖନା ପ୍ରଜାତିର ବୋଲି ଜାଣିବାକୁ ମିଳିଛି। ହାତୀର ଉଚ୍ଚତା ସାଢ଼େ ୮ ଫୁଟ ଓ ଲମ୍ବ ୧୧ ଫୁଟ। ବୟସ ଆନୁମାନିକ ୨୦ରୁ ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି।

ପୋଡ଼ାଡିହା ସେକ୍ସନର କର୍ମଚାରୀମାନେ ଡ୍ୟୁଟି ସମୟରେ ମଲା ହାତୀଟିକୁ ଦେଖିଥିଲେ। ସେମାନେ ଖବର ଦେବାରୁ ବାରିପଦା ଡିଏଫ୍‌ଓ ସ୍ୱୟମ ମଲ୍ଲିକ, ଏସ୍‌ଟିଆର୍‌ ଡିଡି ଯଜ୍ଞଦତ୍ତ ପତି ଓ ଏସିଏଫ ଅରୁଣ କୁମାର ବିଶ୍ୱାଳ, ଅରୁଣ କୁମାର ପାତ୍ର, କପ୍ତିପଦା ରେଂଜର ମହେଶ୍ୱର ସିଂ, ଫରେଷ୍ଟର ଶୋଭାକର ସିଂ, ପୋଡାଡିହା ଫରେଷ୍ଟର ମକରଧ୍ୱଜ ପଳେଇ, ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିଥିଲେ। ଏସ୍‌ଟିଆର୍‌ ଡକ୍ତର ଖନିମ୍‌ ଚାଙ୍ଗମାଇ, କପ୍ତିପଦା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଦୁର୍ଯ୍ୟୋଧନ ବେହେରା ହାତୀଟିର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି। ଆଜି ବ୍ୟବଚ୍ଛେଦ କରାଯାଇପାରିନାହିଁ। ହାତୀଟିର ବୁଧବାର ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି।

ଆସନ୍ତାକାଲି ଭୁବନେଶ୍ୱର ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ଦଳ ଆସି ପରୀକ୍ଷା କରିବା ସହିତ ଶବ ବ୍ୟବଚ୍ଛେଦ କରାଯିବ। ଏହାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ମାଖନା ପ୍ରଜାତିର ହାତୀଗୁଡ଼ିକ ଦାନ୍ତବିହୀନ ବୋଲି ପ୍ରାଣୀବିଜ୍ଞାନୀଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର