ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ଘଟଣା : ପୀଡ଼ିତାଙ୍କ ବୟାନ ପରେ ଡ୍ରାଇଭର ଅଟକ

ଜୁନାଗଡ଼/ ଭବାନୀପାଟଣା : ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୀଡ଼ିତା ଏକ ୱେବ୍ ଚେନାଲରେ ତାଙ୍କୁ ଲିଫ୍‌ଟ ଦେଇଥିବା ଡ୍ରାଇଭର ହିଁ ଖଳନାୟକ ବୋଲି ବୟାନ ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ଶୁକ୍ରବାର ସଂପୃକ୍ତ ଡ୍ରାଇଭର ଲଳିତେନ୍ଦ୍ର ଶବରଙ୍କୁ ଜୁନାଗଡ଼ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ଡ୍ରାଇଭର ଲଳିତେନ୍ଦ୍ରଙ୍କ ବିଜେଡି ଲିଙ୍କ୍‌ ଥିବା ସଂପର୍କରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଏଏସପି ଗୋପୀନାଥ ମଣିପାତ୍ର ଜୁନାଗଡ଼ ଥାନାରେ ପ୍ରତ୍ୟକ୍ଷ ଭାବରେ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଗୁରୁବାର ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ପରେ ଶୁକ୍ରବାର ଅଟକ ଡ୍ରାଇଭରଙ୍କୁ ଛାଡ଼ିବାର ଯୋଜନା ଥିଲା। ହେଲେ ତାଙ୍କ ସଂପୃକ୍ତି ନେଇ ‘ସମ୍ବାଦ’ରେ ଶୁକ୍ରବାର ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ ଉପରେ ଖବର ପ୍ରକାଶ ପାଇବା ପରେ ତାଙ୍କୁ ପୁଣି ଅଟକ ରଖାଯାଇଛି। ଏସପି ବାତୁଲା ଗଙ୍ଗାଧରଙ୍କୁ ପଚାରିବାରୁ ସେ କହିଥିଲେ ‌େଯ ପୀଡ଼ିତା ସିଆର୍‌ପିସିର ଧାରା ୧୬୧ ଓ ୧୬୪ରେ ଦେଇଥିବା ବୟାନରେ ଡ୍ରାଇଭର ମୁଖ୍ୟଅଭିଯୁକ୍ତ ବୋଲି କିଛି କହି ନ ଥିଲେ। ସେ ପୁଲିସକୁ ଏ ନେଇ କୌଣସି ସୂଚନା ମଧ୍ୟ ଦେଇ ନଥିଲେ। ବର୍ତ୍ତମାନ ଗଣମାଧ୍ୟମରୁ ଜାଣିବା ପରେ ଏହି ଘଟଣାରେ ଡ୍ରାଇଭରଙ୍କ ଭୂମିକା ନେଇ ତଦନ୍ତ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର