ଜୁନାଗଡ଼ ଅଞ୍ଚଳରେ ପୁଣି ଲଜ୍ଜା : ଭିନ୍ନକ୍ଷମ ଯୁବତୀଙ୍କୁ ଗାଁ ମୁଖିଆ ପୁଅର ଦୁଷ୍କର୍ମ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ପୁଣି ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏବେ ଯୁବତୀ ଜଣକ ୭ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ କଙ୍ଗାରୁ କୋର୍ଟରେ ଧମକ ଦିଆଯାଇଛି। ଫଳରେ ପୀଡ଼ିତାଙ୍କ ପରିବାର ଲୋକ ନ୍ୟାୟ ପାଇଁ କଳାହାଣ୍ଡି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଲ ପଞ୍ଚାୟତ ବାଦଲଦେଇ ଗ୍ରାମର ଗଉନ୍ତିଆଙ୍କ ଘରେ ଜଣେ ଭିନ୍ନକ୍ଷମ ଯୁବତୀ ବହୁଦିନ ଧରି କାମ କରି ଆସୁଥିଲେ। ଗଉନ୍ତିଆଙ୍କ ବିବାହିତ ପୁଅ ଅମୂଲ୍ୟ ବିଶ୍ୱାଳ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ। ଫଳରେ ଯୁବତୀ ୭ ମାସର ଗର୍ଭବତୀ ଥିବା ଜଣାଯାଇଥିଲା। ଏ ସମ୍ପର୍କରେ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି। ଯୁବତୀ ଗର୍ଭବତୀ ଘଟଣାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ସର୍ବସମ୍ମୁଖରେ ପୀଡ଼ିତା ଯୁବତୀ ଗାଁ ଗଉନ୍ତିଆଙ୍କ ପୁଅଙ୍କ ନାଁ ନେଇଥିଲେ। କିନ୍ତୁ ଅଭିଯୁକ୍ତ ତଥା ଗଉନ୍ତିଆଙ୍କ ପରିବାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଦୁଷ୍କର୍ମ ଅଭିଯୁକ୍ତ ଗାଁ ଗଉନ୍ତିଆ ପୁଅ ବୋଲି ଜଣାପଡ଼ିବା ପରେ କଂଗାରୁ କୋର୍ଟରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଓଲଟି ତାଙ୍କୁ ଧମକଚମକ ଦିଆଯାଇଥିଲା। ଭୟରେ ଗ୍ରାମବାସୀ ମଧ୍ୟ ହାତ ଟେକି ଦେଇଥିଲେ। ଏ ନେଇ ପୁଲିସରେ ମାମଲା ରୁଜୁ ନ କରିବାକୁ ସମାଜ ଓ ଗାଁର ଗ୍ରାମରକ୍ଷୀ ଚାପ ପ୍ରୟୋଗ କରୁଥିବା ନେଇ ପୀଡ଼ିତା ପରିବାର ଅଭିଯୋଗ କରିଛନ୍ତି। ଶେଷରେ ନ୍ୟାୟ ପାଇଁ ପୀଡ଼ିତା ପରିବାର ରବିବାର କଳାହାଣ୍ଡି ଏସ.ପି.ଙ୍କ ଦ୍ବାରସ୍ଥ ହୋଇଛନ୍ତି। ମହିଳା ସେଲ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପୀନାଥ ମଣିପାତ୍ରଙ୍କ ନିର୍ଦେଶରେ ଜୁନାଗଡ଼ ଥାନାରେ କେସ୍ ନଂ ୨୬୮/୧୯ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପରିବାର ଗାଁର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୀଡ଼ିତାଙ୍କ ପରିବାର ଗାଁରେ ନିଜକୁ ଅସୁରକ୍ଷିତ ମନେ କରୁଥିଛନ୍ତି। ଏହି ପରିବାରକୁ ପୁଲିସ ପ୍ରଶାସନ ସୁରକ୍ଷା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର