ଜୁନ୍‌୧୬ରେ ପ୍ରଧାନମନ୍ତ୍ରୀଙ୍କ ଜିଲ୍ଲା ସମୀକ୍ଷା

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖ ଦିନ ଦେଶର ପଛୁଆ ଜିଲ୍ଲା ଗୁଡ଼ିକରେ ଆବଶ୍ୟକ ପଡ଼ୁଥିବା ସ୍ୱତନ୍ତ୍ର ବିକାଶ ସଂକ୍ରାନ୍ତରେ ସମୀକ୍ଷା କରିବେ। ଏହି ବୈଠକରେ ଯୋଗଦେବା ଲାଗି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଦେଶର ୧୧୫ଟି ପଛୁଆ ଜିଲ୍ଲା ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ସେ ମଧ୍ୟରୁ ୧୦ଟି ରହିଛି। ରାଜ୍ୟ ସରକାର ପଛୁଆ ଜିଲ୍ଲାଗୁଡ଼ିକ ଲାଗି ସ୍ୱତନ୍ତ୍ର ପାଣ୍ଠି ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାର କେତେ ଆବଶ୍ୟକତା ରହିଛି ସେ ସଂକ୍ରାନ୍ତରେ ନୀତି ଆୟୋଗଙ୍କ ପରିଚାଳନା ମଣ୍ଡଳୀ ସହ ରାଷ୍ଟ୍ରପତି ଭବନରେ ସମୀକ୍ଷା କରିବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଦ୍‌ବୋଧନ ଦେବେ। ରାଜ୍ୟ ସରକାରମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିବା ବେଳେ ବୈଠକରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଉଥିବା ନୀତି ଆୟୋଗ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ରାଜ୍ୟର ବିକାଶ ସଂକ୍ରାନ୍ତରେ ଆଲୋଚନା କରିବେ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ପରିଚାଳନା ମଣ୍ଡଳୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିକାଶ ଏଜେଣ୍ଡା ୨୦୨୦କୁ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଉପସ୍ଥାପନ କରିବେ। କୃଷକମାନଙ୍କ ଆୟ କିଭଳି ଦ୍ୱିଗୁଣିତ ହେବ ସେ ସଂକ୍ରାନ୍ତରେ ଆଲୋଚନା କରାଯିବ। ଏ କ୍ଷେତ୍ରରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିପାରିଥିବା ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ବୈଠକରେ ଇ-ନାମ୍‌, ସଏଲ୍‌ ହେଲ୍‌ଥ କାର୍ଡ, ଗ୍ରାମାଞ୍ଚଳ ହାଟ ଓ ଏନ୍‌ଆର୍‌ଇଜିଏସ୍‌ ସଂକ୍ରାନ୍ତରେ ଆଲୋଚନା କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ କରି ଆୟୁଷ୍ମାନ ଭାରତ ଯାହାକି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିସନ୍‌ ଅନ୍ତର୍ଗତ ସେ ସଂକ୍ରାନ୍ତରେ ମଧ୍ୟ ବ୍ୟାପକ ଆଲୋଚନା ହେବ। ଏନ୍‌ଡିଏ ସରକାର ଅମଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମିସନ୍‌ ଯଥା ପୋଷଣ ମିସନ୍‌ ଓ ମିସନ୍‌ ଇନ୍ଦ୍ରଧନୁଷ୍‌ ଭଳି ଯୋଜନାର ସମୀକ୍ଷା କରାଯିବାର ପ୍ରସ୍ତାବ ରହିଛି। ଏହି ମିସନ୍‌ଗୁଡ଼ିକ ସାମାଜିକ କ୍ଷେତ୍ରରେ ବିକାଶ କରୁଥିବା ବେଳେ ରାଜ୍ୟ ସରକାରମାନେ ଏଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ନେଇ ଆଲୋଚନା କରାଯିବ ବୋଲି ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶେଷ ପରିଚାଳନା ମଣ୍ଡଳୀ ବୈଠକରେ ଅନେକ ନିଷ୍ପତ୍ତି ନିଆଯିବା ସହିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପସ୍ଥାପନ ହୋଇଥିଲା। ଆସନ୍ତା ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସମନ୍ଵୟ ରକ୍ଷା କରିବେ ବୋଲି ଜଣାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଏପ୍ରିଲ୍‌ ୨୭ରେ ଅନୁଷ୍ଠିତ ତୃତୀୟ ପରିଚାଳନା ମଣ୍ଡଳୀ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର