କନିଷ୍ଠ ଡାକ୍ତରଙ୍କ କଣ୍ଟ ପୂରିଲା : ଓପିଡି ଓ ଆଇପିଡି ସେବା ଆଜି ବନ୍ଦ କରିବେ

ସମ୍ବଲପୁର : ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଭିମ୍‌ସାର କନିଷ୍ଠ ଡାକ୍ତର ସଂଘ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦେଇଥିବା ୪୮ ଘଣ୍ଟାର କଣ୍ଟ ଶନିବାର ସକାଳେ ଶେଷ ହେଉଛି। ଶୁକ୍ରବାର ଦିନ ସେମାନଙ୍କୁ କେହି ଯୋଗାଯୋଗ କରି ନଥିବାରୁ ସେମାନେ ଶନିବାର ସକାଳୁ ଓପିଡି ଓ ଆଇପିଡି ସେବା ବନ୍ଦ କରିବେ ବୋଲି ସଂଘ ସଭାପତି ଡା. ଦେବବ୍ରତ ରାୟ ସୂଚନା ଦେଇଛନ୍ତି। ତେବେ ପରବର୍ତ୍ତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଜରୁରିକାଳୀନ ସେବା ଜାରି ରହିବ। ଯଦି ସେହି ସମୟ ଭିତରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲା ତାହେଲେ ସୋମବାରଠାରୁ ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବେ‌ାଲି ଶ୍ରୀ ରାୟ ସୂଚନା ଦେଇଛନ୍ତି। କନିଷ୍ଠ ଡାକ୍ତରଙ୍କ ଏହି ସମ୍ଭାବ୍ୟ ଆନ୍ଦୋଳନକୁ ଆଖିରେ ରଖି ଶୁକ୍ରବାର ଭିମସାର୍‌ ଅଧ୍ୟକ୍ଷ ପ୍ର. ବ୍ରଜମୋହନ ମିଶ୍ର ପ୍ରଫେସରମାନଙ୍କ ଜରୁରୀ ବୈଠକ ଡକାଇଥିଲେ। ବୈଠକରେ ବିକଳ୍ପ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିବା ପ୍ର. ମିଶ୍ର କହିଛନ୍ତି।

ଅପର ପକ୍ଷରେ ସମ୍ବଲପୁର ଓ ବୁର୍ଲାର ବହୁ ସାମାଜିକ ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ନିର୍ଦ୍ଦେଶକଙ୍କ ସମର୍ଥନରେ ଖୋଲାଖୋଲି ସାମ୍‌ନାକୁ ଆସିଛନ୍ତି। ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନିର୍ଦ୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କୁ ଭେଟି ସମର୍ଥନ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର