ଏସ୍‌ସିବି ପିଜି ଡାକ୍ତରଙ୍କ ଆନ୍ଦୋଳନ: ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ୟୁରୋଲୋଜି ବିଭାଗର ମୁଖ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ପିଜି ଡାକ୍ତରଙ୍କ ପକ୍ଷରୁ ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଂଗରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ରୋହନ ମହାନ୍ତିଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ବୀରକିଶୋର ମିଶ୍ର ଏହି ପ୍ରସଂଗରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ, ଏସ୍‌ସିବିଏମସିଏଚ୍‌ର ଅଧୀକ୍ଷକଙ୍କୁ ଏହି ନିର୍ଦ୍ଦେଶ ଦେବା ସହ ପିଜି ଡାକ୍ତର ସଂଘ ପକ୍ଷରୁ ଆଗତ ଏକ ଅନୁରୂପ ଆବେଦନର ଏକତ୍ର ଶୁଣାଣି କରିବାକୁ ଆଦେଶ ଦେଇଛନ୍ତି। ଏହି ସମସ୍ୟାକୁ ନେଇ ଆବେଦନକାରୀଙ୍କ ସହ ସିଭିଲ ସୋସାଇଟି ତରଫରୁ ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ଚିତରଂଜନ ମହାନ୍ତି, ଆଇନଜୀବୀ ସୁକାନ୍ତ ନାୟକ, ଖଗେଶ୍ୱର ସେଠୀ, ସେକ୍‌ ଅବଦୁଲା, ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ଏସ୍‌ସିବି କର୍ତୃପକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନଜୀବୀ କ୍ଷୀରୋଦ ରାଉତଙ୍କ ତତ୍ୱାବଧାନରେ ଶ୍ରୀ ମହାନ୍ତି ଏହି ଆବେଦନ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର