ଭିମସାର କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ : ଆଜିଠୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ହସ୍ପିଟାଲ ଛାଡ଼ି ଯାଉଛନ୍ତି ରୋଗୀ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ନିର୍ଦେଶକ ପଦରୁ ଡା.ଅଶ୍ବିନୀ ପୂଜାହାରୀଙ୍କୁ ହଟାଇବା ଦାବି‌ ନେଇ କନିଷ୍ଠ ଡାକ୍ତରମାନେ ଆରମ୍ଭ କରିଥିବା ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି। ଇତିମଧ୍ୟରେ ସେମାନଙ୍କ ୯୬ ଘଣ୍ଟାର ମହଲତ ମଧ୍ୟ ସରିବାକୁ ବସିଛି। ମାତ୍ର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସେମାନଙ୍କ ସହ କେହି ଆଲୋଚନା କରିବାକୁ ଆସିନାହାନ୍ତି। ଡାକ୍ତରମାନେ ମଧ୍ୟ ସେମାନଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ଗତକାଲି ଓ ଆଜି ସେମାନେ ଆଇପିଡି ଓ ଓପିଡି କାର୍ଯ୍ୟ ବର୍ଜନ କରିଥିଲେ। କେବଳ ଜରୁରୀକାଳୀନ ସେବାରେ ସହଯୋଗ କରିଥିଲେ। ମାତ୍ର ଦାବି ପୂରଣ ପାଇଁ‌ ସେମାନେ ଦେଇଥିବା ସମୟସୀମା ସୋମବାରଠାରୁ ସରିଯାଉଥିବାରୁ ଜରୁରୀକାଳୀନ ସେବାରୁ ମଧ୍ୟ ସେମାନେ ବିରତ ରହିବେ ବୋଲି କହିଛନ୍ତି। ତେଣୁ ଡାକ୍ତରଖାନାରେ ରୋଗୀ ସେବା ଓ ଚିକିତ୍ସାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ଦୁଇ ଦିନ ହେଲାଣି ଓପିଡି ଓ ଆଇପିଡିରେ ରୋଗୀସେବା ଗୁରୁତର ପ୍ରଭାବିତ ହୋଇଛି। ଦିନକ ମଧ୍ୟରେ ଆଇପିଡିରେ ରୋଗୀ ଭର୍ତ୍ତି ସଂଖ୍ୟା ପ୍ରାୟ ଅର୍ଦ୍ଧାଧିକ କମିଯାଇଥିବା ଜଣାପଡ଼ିଛି। ପ୍ରତିଦିନ ବୁର୍ଲା ମେଡିକାଲରେ ଅନ୍ୟୁନ ୨୮୦ ରୁ ୨୯୦ ଜଣ ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥାନ୍ତି। କିନ୍ତୁ ରବିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ବିଭାଗରେ ମାତ୍ର ୧୩୫ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେହିପରି ବହିର୍ବିଭାଗ ବା ଓପିଡିରେ ହାରାହାରି ୨୪ଶହ ରୋଗୀଙ୍କର ଚିକିତ୍ସା ହେଉଥିବା ବେଳେ ରବିବାର ଏହି ସଂଖ୍ୟା ୧୬ ଶହକୁ ଖସି ଆସିଛି। ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉଚିତ୍ ସେବା ନପାଇବାର ଆଶଂକା କରି କିଛି ରୋଗୀ ହସ୍ପିଟାଲ ଛାଡ଼ି ଘରୋଇ ଡାକ୍ତରଖାନାକୁ ଯାଉଥିବା ଦେଖାଦେଇଛି। ରବିବାର ବୁର୍ଲା ମେଡିକାଲରୁ ୪ ଜଣ ଚିକିତ୍ସାଧୀନ ରୋଗୀ ଅନ୍ୟତ୍ର ଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବୁର୍ଲା ମେଡିକାଲରେ ରୋଗୀ ସେବା ବ୍ୟାହତ ହେବା କାରଣରୁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷର ନିଆଁ ତେଜିବାରେ ଲାଗିଛି। ବିଭିନ୍ନ ସଂଗଠନ କନିଷ୍ଠ ଡାକ୍ତରମାନଙ୍କୁ ସମାଲୋଚନା କରି ବୟାନ ଦେଉଥିବା ବେଳେ କିଛି ସଂଗଠନ ସେମାନଙ୍କ ସପକ୍ଷରେ ମଧ୍ୟ ଯୁ୍କ୍ତି କରୁଥିବା ଦେଖିବାକୁ ମିଳିଛି। ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ଗୁଡ଼ିକରେ ଏନେଇ ପ୍ରବଳ ଯୁକ୍ତିତର୍କ ଓ କାଦୁଅଫିଙ୍ଗା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର