ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ହେଲେ ଜଷ୍ଟିସ୍‌ ଅଜିତ୍‌ ସିଂହ

ଭୁବନେଶ୍ୱର: ଅବସରପ୍ରାପ୍ତ ବିଚାରପତି  ଜଷ୍ଟିସ୍‌ ଅଜିତ୍‌ ସିଂହଙ୍କୁ ଶନିବାର ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଓଡ଼ିଶା ଲୋକାୟୁକ୍ତ ଆଇନ୍‌-୨୦୧୫ କାର୍ଯ୍ୟକ୍ଷମ ହେବା ପରେ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂହଙ୍କୁ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ଭାବରେ ଏହି ନିଯୁକ୍ତି ମିଳିଛି। ଲୋକାୟୁକ୍ତ ନିଯୁକ୍ତି କମିଟିର ସୁପାରିସ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଲୋକାୟୁକ୍ତ ଚୟନ କମିଟିର  ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ୭ଜଣିଆ ଯାଞ୍ଚ କମିଟି ପଠାଇଥିବା ନାମ ତାଲିକା ଉପରେ ତର୍ଜମା ହୋଇଥିଲା। ଏହାପରେ ଅଧ୍ୟକ୍ଷ ପଦ ଲାଗି ଜଷ୍ଟିସ ସିଂହଙ୍କୁ ଚୟନ କରିଥିଲା କମିଟି। ଲୋକାୟୁକ୍ତ ଚୟନ କମିଟି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ସମେତ ପ୍ରତିଷ୍ଠିତ ଜୁରିଷ୍ଟ୍ ଜଷ୍ଟିସ ଅନଙ୍ଗ ନାରାୟଣ ପଟ୍ଟନାୟକ ଯୋଗଦେଇ ଥିଲେ।

ସୂଚନାଯୋଗ୍ୟ, ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ୨୦୧୮ରେ ଅବସର ଗ୍ରହଣ କରିଛନ୍ତି। ୧୯୫୬ ମସିହାରେ ଜନ୍ମିତ ଜଷ୍ଟିସ ସିଂହ ୧୯୭୯ ମସିହାରେ ମଧ୍ୟପ୍ରଦେଶର ଜବଲପୁରରେ ଆଡଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୦୨ ମସିହାରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

ସମ୍ବନ୍ଧିତ ଖବର