ସମାଜ-ନ୍ୟାୟାଳୟ ଦୂରତା ହ୍ରାସ କରିପାରିବେ ଆଇନଜୀବୀ: ଜଷ୍ଟିସ ଦୀପକ ମିଶ୍ର

କଟକ :ଜଣେ ଆଇନଜୀବୀଙ୍କ ପାଇଁ ଜ୍ଞାନ, ଦକ୍ଷତା, ଆଭିମୁଖ୍ୟ ଏବଂ ପେସାଦାର ମନୋଭାବ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ। ଶିକ୍ଷାର କେବେ ସମାପ୍ତି ନ ଥାଏ। ତେଣୁ ଭଲ ଆଇନଜୀବୀ ହେବାକୁ ହେଲେ ସବୁବେଳେ ଅଧ୍ୟୟନ ଜରୁରି। ଏଥିସହିତ ଆଇନଜୀବୀମାନଙ୍କୁ ପ୍ରଶିକ୍ଷଣର ମଧ୍ୟ ଆବଶ୍ୟକତା ରହିଛି । ଆର୍ନ୍ତଜାତୀୟସ୍ତରରେ ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଆମ ଦେଶରେ ମଧ୍ୟ ଏହାର ଆବଶ୍ୟକତା ରହିଛି। ‘ଦି ଲୟର୍ସ ଏକାଡେମୀ ଓଡିଶା’ର ପଞ୍ଚମ ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଇନଜୀବୀମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ।

ଓଡିଶା ଜୁଡିସିଆଲ ଏକାଡେମୀସ୍ଥିତ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟୋରିୟମରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ଜଷ୍ଟିସ ମିଶ୍ର କହିଛନ୍ତି ଯେ, ଆଇନଜୀବୀମାନେ ସମାଜ ଓ ନ୍ୟାୟାଳୟ ମଧ୍ୟରେ ରହିଥିବା ଦୂରତାକୁ ହ୍ରାସ କରିପାରିବେ। ଏଥିପାଇଁ ସେମାନଙ୍କୁ ପ୍ରେଜେଣ୍ଟିଭ, ପ୍ରୋଟେକ୍ଟିଭ, ପ୍ରମୋଟିଭ ହେବାକୁ ପଡିବ । ଲୟର୍ସ ଏକାଡେମୀ ଜରିଆରେ ଆଇନଜୀବୀମାନେ ଆଇନ ସମ୍ବନ୍ଧୀୟ ଅଧିକ ଜ୍ଞାନ ହାସଲ କରିପାରିଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ। ଏଥିପାଇଁ ଲୟର୍ସ ଏକାଡେମୀ ସହ ରାଜ୍ୟରେ ଥିବା ଆଇନ ଶିକ୍ଷାନୁଷ୍ଠାନଗୁଡିକୁ ସାମିଲ କରିବାକୁ ପଡିବ । ତେବେ ରାଜ୍ୟ ସରକାର ଲୟର୍ସ ଏକାଡେମୀକୁ ଜାଗା ଏବଂ ଘର ଯୋଗାଇ ପାରିଲେ କଟକର ଲୟର୍ସ ଏକାଡେମୀ ଦେଶରେ ଏକ ନମ୍ବର ହୋଇପାରିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର କହିଛନ୍ତି ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ କହିଛନ୍ତି, ଆଇନଜୀବୀମାନେ ହେଉଛନ୍ତି ନ୍ୟାୟାଳୟର ପୂଜାରି। ନ୍ୟାୟିକ ବ୍ୟବସ୍ଥାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ନ୍ୟାୟାଳୟ ଏବଂ ମହକିଲଙ୍କର ବିଶ୍ୱାସଭାଜନ ହେବା ଉଚିତ । ତେବେ ଲୟର୍ସ ଏକାଡେମୀ ଆଇନଜୀବୀମାନଙ୍କୁ ଏ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ଜଷ୍ଟିସ ସରନ କହିଛନ୍ତି। ଏହି ଅବସରରେ ଓଡିଶା ହାଇକୋର୍ଟର ତିନିଜଣ ବରିଷ୍ଠ ଆଇନଜୀବୀ ଡକ୍ଟର ବିପିନ ବିହାରୀ ରଥ, ବିଜୟକୃଷ୍ଣ ମହାନ୍ତି, ଅଶୋକ ମୁଖାର୍ଜୀଙ୍କୁ ପ୍ରଧାନ ବିଚାରପତି ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ‘ଦି ଲୟର୍ସ ଏକାଡେମୀ ଓଡିଶା’ର ନୂଆ େଓ୍ଵବସାଇଟକୁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଉନ୍ମୋଚନ କରିଥିଲେ। ସେହିପରି ଆଇନଜୀବୀ ଡକ୍ଟର କହ୍ନେୟାଲାଲ ଶର୍ମା, ଆଇନଜୀବୀ ତାରାନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ‘ସ୍ପେଶାଲ ବୁଲେଟିନ’ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଆଡଭୋକେଟ ଜେନେରାଲ ତଥା ‘ଦି ଲୟର୍ସ ଏକାଡେମୀ ଓଡିଶା’ର ଅଧ୍ୟକ୍ଷ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଏନ.ସି.ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ଆଇନଜୀବୀ ଶୁଭବିକାଶ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ, ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ଆଇନଜୀବୀ ଏସ.ପି.ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ଆଡଭୋକେଟ ଜେନେରାଲ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ହାଇକୋର୍ଟର ବହୁ ବିଚାରପତି, ଆଇନଜୀବୀଙ୍କ ସମତେ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଧର୍ମପତ୍ନୀ ସୁପ୍ରମା ମିଶ୍ର, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କ ଧର୍ମପତ୍ନୀ ଉମା ସରନ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର