ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀ

କଟକ : ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଜଷ୍ଟିସ୍‌ ଜାଭେରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଆଜି ଅପରାହ୍ନ ୪ଟାରେ ହାଇକୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ପ୍ରଥମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୁପ୍ରିମକୋର୍ଟରୁ ଆସିଥିବା ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀଙ୍କ ନିଯୁକ୍ତି ସମ୍ପର୍କିତ ଓ୍ଵାରଣ୍ଟ ସନ୍ଦର୍ଭ ପାଠ କରିଥିଲେ। ଏହାପରେ ରାଜ୍ୟପାଳ ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀଙ୍କୁ ଶପଥ ପାଠ କରାଇଥିଲେ ।

ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି, ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ଏସ.କେ ମିଶ୍ର, ଜଷ୍ଟିସ ସି.ଆର ଦାଶ, ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ, ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଡକ୍ଟର ଜଷ୍ଟିସ ବି.ଆର ଷଡଙ୍ଗୀ, ଜଷ୍ଟିସ କେ.ଆର ମହାପାତ୍ର, ଜଷ୍ଟିସ ଏସ.ଏନ ପ୍ରସାଦ, ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ ଜେ.ପି ଦାସ, ଜଷ୍ଟିସ ଏସ.କେ ସାହୁ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି.ଏନ ମହାପାତ୍ର, ଜଷ୍ଟିସ ବୀର କିଶୋର ମିଶ୍ର, ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀ, ଆଇନମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଅକ୍ଷୟ କୁମାର ମିଶ୍ର, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି, ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଡିସିପି ଅଖିଳେଶ୍ୱର ସିଂହ, ହାଇକୋର୍ଟ ବାର ଆସୋସିଏସନ ସଭାପତି ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ, ସମ୍ପାଦକ ସତ୍ୟବ୍ରତ ମହାନ୍ତି, ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ,ଓଡିଶା ହାଇକୋର୍ଟ କର୍ମଚାରୀ ସଂଘ ସଭାପତି ଜୟନ୍ତ କୁମାର ସେନ, ସମ୍ପାଦକ ସୁଶାନ୍ତ କୁମାର ମିଶ୍ର, ରାଜସ୍ଥାନ ହାଇକୋର୍ଟ କର୍ମଚାରୀ ସଂଘ ସଭାପତି ଋତୁରାଜ ଶର୍ମା, ସମ୍ପାଦକ ସାହିଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୧୯୫୮, ଜାନୁଆରି ୫ରେ ଜନ୍ମିତ ଜଷ୍ଟିସ ଜାଭେରୀ ବିଏସ୍‌ସି ପାସ୍‌ କରିବା ପରେ ଏଏଲ୍‌.ବି. ଡିଗ୍ରି ହାସଲ କରିଥିଲେ। ସେ ୧୯୮୩ରେ ଓକିଲାତି ଲାଇସେନ୍ସ ହାସଲ ପରେ ଗୁଜରାଟ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୪ରେ ଗୁଜୁରାଟ ହାଇକୋର୍ଟ ଆଡଭୋକେଟସ୍‌ ଆସୋସିଏସନର ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୮ରୁ ୧୯୯୦ ପର୍ଯନ୍ତ ଆସୋସିଏସନର ସଂପାଦକ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ନିର୍ବାହ କାରିଥିଲେ। ୧୯୮୧ରୁ ୧୯୯୭ ପର୍ଯ୍ୟନ୍ତ ଖ୍ୟାତିସଂପନ୍ନ ଭାରତ ସ୍କାଉଟ୍ସ୍‌ ଆଣ୍ଡ ଗାଇଡ୍ସ ସଦସ୍ୟ ପଦବିରେ ରହିଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟ କମିସନର ଭାବେ ମନୋନୀତ ହୋଇଥିଲେ। ସ୍କାଉଟ ରାଜ୍ୟ କମିସନର ପଦରେ ସେ ୨୦୦୨ରୁ ୨୦୦୪ ଫେବ୍ରୁଆରି ପର୍ଯ୍ୟନ୍ତ ରହିଥିଲେ। ଜଷ୍ଟିସ ଜାଭେରୀଙ୍କ ଜେଜେ ବାପା କାଳୀଦାସ ଯଶକରଣ ଜାଭେରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ନିକଟତମ ସହଯୋଗୀ ଥିଲେ। ଜଷ୍ଟିସ ଜାଭେରୀଙ୍କ ବାପା ସତ୍ୟେନ୍ଦ୍ର କାଳୀଦାସ ଜାଭେରୀ ଜଣେ ଆଇନଜୀବୀ ଥିଲେ ଓ ଗୁଜରାଟ ବାର୍‌ କାଉନସିଲର ପ୍ରଥମ ନିର୍ବାଚିତ ସଦସ୍ୟ ଥିଲେ। ୨୦୦୪, ମାର୍ଚ୍ଚ ୭ରେ ଜଷ୍ଟିସ୍‌ ଜାଭେରୀ ଗୁଜୁରାଟ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୧୬, ଅଗଷ୍ଟ ୨୪ରୁ ଜଷ୍ଟିସ ଜାଭେରୀ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର