ଅବିସ୍ମରଣୀୟ ଜଷ୍ଟିସ୍‌ କୃଷ୍ଣ ପ୍ରସାଦ ମହାପାତ୍ର

ଜଷ୍ଟିସ୍‌ କୃଷ୍ଣ ପ୍ରସାଦ ମହାପାତ୍ର ଆମ ଗହଣରୁ ବିଦାୟ ନେଇଛନ୍ତି । ଏହା କେବଳ ତାଙ୍କ ପରିବାର ପାଇଁ ନୁ‌ହଁ, ସମଗ୍ର ରାଜ୍ୟ ପାଇଁ ଦୁଃଖଦାୟକ। ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ, ଏହା ନିରାଟ ସତ୍ୟ। ମାତ୍ର ଯେଉଁ କେତେଜଣ ଓଡ଼ିଶା ମାଟିର ବରପୁତ୍ର ନିଜ କୃତି ଏବଂ କର୍ମସାଧନା ମାଧ୍ୟମରେ ସ୍ବକୀୟ ଅବଦାନ ଦେଇ ରାଜ୍ୟର ସମୃଦ୍ଧିରେ ସହାୟକ ହୋଇଥା’ନ୍ତି, ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିିଚାରପତି କୃଷ୍ଣ ପ୍ରସାଦ ମହାପାତ୍ର ଥିଲେ ଅନ୍ୟତମ। ନିଜ ବ୍ୟକ୍ତିତ୍ବର ପରାକାଷ୍ଠା ଏବଂ କୃତିତ୍ବର ସମୁଜ୍ଜଳ ପ୍ରତିଭାରେ ବହୁ ଲୋକଙ୍କର ପ୍ରିୟଭାଜନ ହେବା ସଙ୍ଗେ ସଙ୍ଗେ ନିଜର କର୍ତ୍ତବ୍ୟ ନିଷ୍ଠା ଏବଂ ସାମାଜିକ ପ୍ରତିବଦ୍ଧତା ପାଇଁ ଖ୍ୟାତି ଅର୍ଜନ କରିଥିଲେ।

ଏହି ମହାନ ବ୍ୟକ୍ତିଙ୍କର ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ମୋତେ ମିଳିଥିଲା ବିଭିନ୍ନ ସମୟରେ। ପ୍ରଥମ ଥର ପାଇଁ ସେ ଓଡ଼ିଶା ସରକାରଙ୍କର ଆଇନ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲା ବେଳେ ମୁଁ ଅର୍ଥ ବିଭାଗର ଉପ- ଶାସନ ସଚିବ ଥିଲି। ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ମୁଁ ସଚିବାଳୟ ଯାଇ ତାଙ୍କ ସହ ସାକ୍ଷାତ ଆଲୋଚନା କରୁଥିଲି। ତାଙ୍କ ଭିତରେ ଥିବା ଜଣେ ସ୍ନେହୀ ଏବଂ ହୃଦୟବାନ ବ୍ୟକ୍ତିର ପରିଚୟକୁ ମୁଁ ସେତେବେଳେ ମୁଁ ଲକ୍ଷ୍ୟ କରିଥିଲି। ମୁଁ ବୟସରେ ବହୁତ ସାନ ହୋଇଥିଲେ ବି ସେ ମୋ ସହିତ ଯେପରି ସୌହାର୍ଦ୍ଦ୍ୟର ସହ କଥାବାର୍ତ୍ତା କରୁଥିଲେ ତାହା ମୋତେ ତାଙ୍କ ପ୍ରତି ଆକର୍ଷିତ କରିଥିଲା। ୧୯୮୪ ମସିହାରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ପଦବିକୁ ଉନ୍ନୀତ ହୋଇ ୧୯୯୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରି ଅବସର ନେଇଥିଲେ। କାର୍ଯ୍ୟ ଦକ୍ଷତା, ସାଧୁତା ଏବଂ କର୍ତ୍ତବ୍ୟ ନିଷ୍ଠା ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି। ତାଙ୍କର ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହୋଇଛି। ୧୯୯୫ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘‘ଆତ୍ମାର ବିଳାପ’’ ପ୍ରକାଶିତ ହୋଇଥିଲା। ତାଙ୍କର ଫରେଷ୍ଟପାର୍କସ୍ଥିତ ବାସଭବନରେ ମୁଁ ଥରେ ଭେଟିବା ଅବସରରେ ସେ ମୋତେ ଏହି ସଂକଳନଟିକୁ ଉପହାର ଦେଇଥିଲେ। ଏଥିରେ ସ୍ଥାନିତ ଗଳ୍ପ ଗୁଡ଼ିକ ବିଭିନ୍ନ ମୋକଦ୍ଦମା ସଂପର୍କିତ ବିଷୟବସ୍ତୁ ଉପରେ ଆଧାରିତ। ମାତ୍ର ଗଳ୍ପ ଗୁଡ଼ିକର ବର୍ଣ୍ଣନା ଅତ୍ୟନ୍ତ ମନୋରମ ଓ ମର୍ମସ୍ପର୍ଶୀ। ତାଙ୍କର ଦ୍ବିତୀୟ ଗଳ୍ପ ସଂକଳନଟି ହେଉଛି ‘‘ଅଧାଘଣ୍ଟାର ଗଳ୍ପ’’। ଏଥିରେ ସ୍ଥାନିତ ସତର ଗୋଟି ଗଳ୍ପ ଅତ୍ୟନ୍ତ ସାବଲୀଳ ଏବଂ ପାଠକୀୟ ଆଦୃତି ଲାଭ କରିଛି। ଏତଦ୍‌ଭିନ୍ନ ସେ ‘‘ଝାନ୍‌ସୀରାଣୀ’’ ଶୀର୍ଷକ ଏକ ଅନୁବାଦ ମଧ୍ୟ ପ୍ରକାଶ କରିଛନ୍ତି। ମୁଁ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।
ରବିନାରାୟଣ ସେନାପତି
ଅଧ୍ୟକ୍ଷ, ରାଜ୍ୟ ଅର୍ଥ କମିସନ, ଓଡ଼ିଶା

ସମ୍ବନ୍ଧିତ ଖବର