ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ୫ମ ପର୍ଯ୍ୟାୟ ପଦକ୍ଷେପ : ୧୦ ସଂସ୍ଥାର ୯ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ପଞ୍ଚମ ପର୍ଯ୍ୟାୟରେ ସେଡିଲ ଡେଭେଲପମେଣ୍ଟ ଇଣ୍ଡିଆ ସମେତ ୧୦ଟି ଅର୍ଥଲଗାଣକାରୀ ସଂସ୍ଥାର ୯ ହଜାର କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି। ୨୦୧୮, ମାର୍ଚ୍ଚ ୯ରେ ସେଡିଲ ଗ୍ରୁପର ନିର୍ଦ୍ଦେଶକଙ୍କୁ କମିସନ୍‌ ନୋଟିସ୍‌ ଜାରି କରି ୨ ହଜାର ୪୩୪ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ୨୦୧୮, ମେ’ ୨୬ରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ କମିସନଙ୍କ ନିକଟରେ ସେଡିଲ ପକ୍ଷରୁ କେହି ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ସେଡିଲ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟପାଠ ଆଧାରରେ କମିସନ୍‌ ୨ ହଜାର ୪୩୪ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି। ସେହିପରି ପ୍ରୟାଗ ଆକ୍‌ନୋଲୋଜ୍‌ମେଣ୍ଟ ସଂସ୍ଥାର ୨ ହଜାର ୩୫୧ ଜଣ, ସେଲ୍ଟର ଆଗ୍ରୋଟେକ୍‌ ଲିମିଟେଡର ୧ ହାଜର ୨୨୯ ଜଣ, ଏମଜିଏଲ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡର ୯୭୯ ଜଣ ଓ ପ୍ରୟାଗ ହାଇ ରାଇଜ୍‌ ଲିମିଟେଡର ୭୨୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରିଛନ୍ତି। ଏଥି ସହିିତ ଶସ୍ତ୍ର ଏଣ୍ଟରପ୍ରାଇଜର୍ସ, ପିଏସିଏଲ୍‌ ଇଣ୍ଡିଆ ଲିମିଟେଡ୍‌, ଏସକେଏମ୍‌ ଇଣ୍ଡିଆ େଓ୍ଵଲ୍ଥ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ସିଲିକନ୍‌ ପ୍ରୋଜେକ୍ଟସ୍‌ ସଂସ୍ଥା ଓ ସାଭିୟର ଲିଜେଣ୍ଡ ଇଣ୍ଡଷ୍ଟ୍ରିଜ୍‌ର କ୍ଷୁଦ୍ର ଜମାକରୀଙ୍କୁ ମଧ୍ୟ କମିସନ୍‌ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟର ସତ୍ୟପାଠ ଯାଞ୍ଚ କରି କମିସନ୍‌ ଏହି ସବୁ ସଂସ୍ଥାକୁ ନୋଟିସ୍‌ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ନୋଟିସ୍‌ ସତ୍ୱେ ଏହି ସବୁ ସଂସ୍ଥାର ପଦାଧିକାରୀ କିମ୍ବା ସେମାନଙ୍କ ପ୍ରତିନିଧି କମିସନଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଦାଖଲ ସତ୍ୟପାଠ ଆଧାରରେ କମିସନ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏହି ୧୦ଟି ସଂସ୍ଥା ମଧ୍ୟରେ ରାଜ୍ୟ ବାହାରର କେତେକ ସଂସ୍ଥା ମଧ୍ୟ ରହିଥିବା ଜଣା ପଡିଛି। ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଖୁବ୍‌ ଶୀଘ୍ର ସରକାରଙ୍କୁ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ କମିସନ୍‌ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର