ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ: ଆସ୍ଥା, ବାସିଲକୁ ନୋଟିସ୍‌

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ଷଷ୍ଠ ପର୍ଯ୍ୟାୟରେ ଆସ୍ଥା ଗ୍ରୁପ୍‌କୁ ସାନି ନୋଟିସ୍‌ ଜାରି କରିଛନ୍ତି। ଆସ୍ଥା ଗ୍ରୁପ୍‌ର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କା, ସିଏମଡି ସନ୍ତୋଷ କିଶନ ସପ୍‌କଲେ ଓ ଏମ୍‌ଡି ଚନ୍ଦ୍ରସିଂ ଶିବାଜୀଭାଇ ଚୌହାଣଙ୍କୁ ୨ ହଜାର ୧୮୬ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ଆସ୍ଥା ସଂସ୍ଥାର ଏହି ପ୍ରମୁଖ ପଦାଧିକାରୀଙ୍କୁ ଜେଲ ଅଧୀକ୍ଷକଙ୍କ ଜରିଆରେ ନୋଟିସ୍‌ ପ୍ରଦାନ କରାଯିବ। ଏଥି ସହିତ କୋଲକାତାର ବାସିଲ ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ଓ ଆପେଲାଇନ କସମେଟିକ୍ସ ଆଣ୍ଡ ଟଏଲେଟ୍ରିଜ୍‌ର ମୁଖ୍ୟ ନିର୍ମଳେନ୍ଦୁ ଭୌମିକଙ୍କୁ କମିସନ୍‌ ୧୩ ହଜାର ୧୭୭ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ସେପ୍ଟେମ୍ବର ୨୭ରେ ଆସ୍ଥା ସଂପର୍କିତ ଓ ୨୯ରେ ବାସିଲର ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସଂସ୍ଥାର ମୁଖ୍ୟ, ନିର୍ଦ୍ଦେଶକ ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ କମିସନଙ୍କ ନିକଟରେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପ୍ରଥମେ ସିସୋର ଓ ଅର୍ଥତତ୍ତ୍ୱକୁ କମିସନ୍‌ ସାନି ନୋଟିସ୍‌ ଜାରି କରିଥିଲେ। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୪ ହଜାର ୨୨୯ ଜଣ ଓ ଅର୍ଥତତ୍ତ୍ୱ ଏମଡି ପ୍ରଦୀପ ସେଠୀଙ୍କୁ ୧ହଜାର ୬୦୭ ଜଣ କ୍ଷୁଦ୍ର ଜମାକାରୀଙ୍କ ଦାବି ସଂପର୍କରେ କାରଣ ଦର୍ଶାଇବାକୁ କମିସନ୍‌ ନୋଟିସ ଜାରି କରିଥିଲେ।

ସମ୍ବନ୍ଧିତ ଖବର