ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌: ନବଜ୍ୟୋତି ସଂସ୍ଥାର ୬ ହଜାର ୧୫୮ ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରେ ଚିଟଫଣ୍ଡ ସଂସ୍ଥା ନବଜ୍ୟୋତି ରିୟଲିଟି ଇଣ୍ଡିଆ ଲିମିଟେଡ୍‌ ନିର୍ଦ୍ଦେଶକ ହାଜର ହୋଇ ନାହାନ୍ତି। ନୋଟିସ୍‌ ପାଇବା ସତ୍ୱେ ଏହି ସଂସ୍ଥାର ନିର୍ଦ୍ଦେଶକ କିମ୍ବା ତାଙ୍କ ପ୍ରତିନିଧି ହାଜର ହୋଇ ନଥିବା ବେଳେ କମିସନ୍‌ ନବଜ୍ୟୋତି ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ନବଜ୍ୟୋତି ସଂସ୍ଥାର ୬ ହଜାର ୧୫୮ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ ନବଜ୍ୟୋତିର ନିର୍ଦ୍ଦେଶକ ଉମାକାନ୍ତ ରାମଙ୍କୁ ତାଙ୍କ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବର୍ତ୍ତଣା ଗ୍ରାମ ଠିକଣାରେ କମିସନ୍‌ ୨୦୧୮, ଫେବ୍ରୁଆରି ୨୨ରେ ନୋଟିସ୍‌ ଜାରି କରିଥିଲେ। ଡାକ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ଶ୍ରୀ ରାମ କମିସନଙ୍କ ନୋଟିସ୍‌ ପାଇଥିଲେ। ଏହା ସତ୍ୱେ ଏପ୍ରିଲ ୨୮ ତାରିଖ ଦିନ ସଂସ୍ଥାର କେହି ପ୍ରତିନିଧି କମିସନ୍‌ଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକରୀଙ୍କ ସତ୍ୟପାଠ ଆଧାରରେ କମିସନ୍‌ ନବଜ୍ୟୋତିର କ୍ଷୁଦ୍ର ଜମାକରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କୁ ଚିହ୍ନଟ କରିଛନ୍ତି। ଏ ସଂପର୍କରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଉଲ୍ଲେଖ କରାଯିବ ବୋଲି କମିସନ୍‌ଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର