ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ : ଆସ୍ଥା ସମେତ ୨୦ ସଂସ୍ଥାକୁ ସାନି ନୋଟିସ୍‌

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍‌ ପରେ ଆସ୍ଥା ଇଣ୍ଟରନ୍ୟାସନାଲ ସମେତ ୨୦ଟି ଅର୍ଥଲଗାଣକାରୀ ସଂସ୍ଥାକୁ ୧୪ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ସାନି ନୋଟିସ୍‌ ଜାରି କରିଛନ୍ତି। ଆସ୍ଥା ଗ୍ରୁପ୍‌ର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କା, ସିଏମଡି ସନ୍ତୋଷ କିଶନ ସପ୍‌କଲେ ଓ ଏମ୍‌ଡି ଚନ୍ଦ୍ରସିଂ ଶିବାଜୀଭାଇ ଚୌହାଣଙ୍କୁ ୨ ହଜାର ୯୬୫ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ଆସ୍ଥା ସଂସ୍ଥାର ଏହି ପ୍ରମୁଖ ପଦାଧିକାରୀଙ୍କୁ ଜେଲ ଅଧୀକ୍ଷକଙ୍କ ଜରିଆରେ ନୋଟିସ୍‌ ପ୍ରଦାନ କରାଯିବ। ସେହିପରି ଆଞ୍ଜେଲ ଏଗ୍ରିଟେକ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜକୁ ୫ ହଜାର ୪ ଜଣ, ଆଦର୍ଶ ମଲ୍ଟିପରପୋଜ୍‌ ଗ୍ରୁପକୁ ୨ ହଜାର ୩୭୭ ଜଣ ଓ ଆସୋର ଗ୍ରୁପକୁ ୨ ହଜାର ୨୮ଜଣ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ନୋଟିସ୍‌ ଜାରି କରାଯାଇଥିବା ୨୦ଟି ସଂସ୍ଥା ମଧ୍ୟରୁ କେତେକ ରାଜ୍ୟ ବାହାର ଅର୍ଥଲଗାଣକାରୀ କମ୍ପାନି ରହିଛିନ୍ତି। ମାର୍ଚ୍ଚ ୧୭ରେ ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ ଏହି ସବୁ ସଂସ୍ଥାର ପାଦାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ପୂର୍ବରୁ କମିସନ୍‌ ସିସୋରକୁ ୭ ହଜାର ୭୩୪ଜଣ ଓ ଅର୍ଥତତ୍ତ୍ୱକୁ ୨ହଜାର ୩୬୫ ଜଣ କ୍ଷୁଦ୍ର ଜମାକାରୀଙ୍କ ଦାବି ସଂପର୍କରେ କାରଣ ଦର୍ଶାଇବାକୁ ସାନି ନୋଟିସ୍‌ ଜାରି କରି ସାରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ନୋଟିସ୍‌ ଜାରି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର