ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ୍.ଭି. ରମଣଙ୍କୁ ଶନିବାର ମନ୍ଦିର ଭିତରେ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଚାରପତି ରୋଷଘର ଦେଖିବାକୁ ଚାହୁଁଥିଲେ। ତେବେ ଦାୟିତ୍ବରେ ଥିବା ଜଗନ୍ନାଥ ଟେମ୍ପୁଲ୍ ପୁଲିସ (ଜେଟିପି) ଶରତ ଦାସ ବିଚାରପତିଙ୍କୁ ଏଥି ପାଇଁ ବାରଣ କଲା ପରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବିଚାରପତି ଏହି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ ଦର୍ଶନ ସାରି ଫେରିଯାଇଥିଲେ। ତେବେ ବିଚାରପତି ବିରକ୍ତି ହୋଇଥିବା ଜଣାପଡ଼ିବା ପରେ ପୁରୀ ଜିଲ୍ଲାପାଳ ଓ ଏସ୍ପି ବିଚାରପତିଙ୍କ ପାଖରେ ପହଞ୍ଚି ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସଂପର୍କରେ ବୁଝାଇବା ସହିତ ଭୁଲ ବୁଝାମଣା ପାଇଁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି।
ଶନିବାର ସକାଳେ ଜଷ୍ଟିସ ଏନ୍.ଭି. ରମଣ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ପ୍ରୋଟକଲ୍ରେ ବିଚାରପତିଙ୍କୁ ନିଆଯାଇଥିଲା। ସାଥିରେ ପ୍ରୋଟକଲ୍ ଅଫିସର ଓ ଅନ୍ୟ ଅଧିକାରୀମାନେ ଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଜଷ୍ଟିସ ମନ୍ଦିର ପରିକ୍ରମା କରିଥିଲେ। ଏହି ସମୟରେ ରୋଷଘର କରିଡର ବାହାରୁ ଦେଖିବାକୁ ଚାହିଁଥିଲେ। ତେବେ ସେଠାରେ ଦାୟିତ୍ବରେ ଥିବା ଜଣେ ଜେଟିପି ଏବେ ରୋଷଘରେ କିଛି ରୋଷେଇ ହେଉନାହିଁ କ’ଣ ଦେଖିବେ ବୋଲି ପାଲଟା ପ୍ରଶ୍ନ କରିଥିଲେ। ରୋଷ ଘରକୁ ଯାଇ ହେବ ନାହିଁ ବୋଲି ବିଚାରପତିଙ୍କୁ ସିଧା ମନା କରି ଦେଇଥିଲେ। ଏହାକୁ ନେଇ ବିଚାରପତି ସଂପୃକ୍ତ ଜେଟିପିଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଫେରିଯାଇଥିଲେ। ତେବେ ରୋଷଘରକୁ ଯାଇ ପାରି ନଥିବାରୁ ଜଷ୍ଟିସ ଅସନ୍ତୁଷ୍ଟ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/NV-Ramana.jpg)