ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଶପଥ ଗ୍ରହଣ

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ ଶାସନ ସଚିବ ଅସିତ ତ୍ରିପାଠୀ ବିଚାରପତିଙ୍କ ବଦଳି ଓ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ। ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଝାଡଖଣ୍ଡ ହାଇକୋର୍ଟର କେତେ ଜଣ ବିଚାରପତି, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି.ପି.ଦାସ, ଜଷ୍ଟିସ ବି.କେ.ନାୟକ, ଜଷ୍ଟିସ ରଘୁବୀର ଦାଶ, ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ରାଜ୍ୟ ଆଇନଜୀବୀ ପରିଷଦ ଅଧୢକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି, ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସ˚ପାଦକ ସତ୍ୟବ୍ରତ ମହାନ୍ତି, କଟକ ବାର‌୍‌ ସଭାପତି ଉମାକାନ୍ତ ନନ୍ଦ, ସ˚ପାଦକ ନରେଶ ଚନ୍ଦ୍ର ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଡିସିପି ଅଖିଳେଶ୍ବର ସି˚ହ, ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଜଷ୍ଟିସ ପଟ୍ଟନାୟକ ୨୦୧୪, ସେପ୍ଟେମ୍ବର ୨୪ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ବଦଳି ପରେ ସେ ୨୦୧୪, ଡିସେମ୍ବର ୨୨ରେ ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଭା‌ବେ ସେ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପଟ୍ଟନାୟକଙ୍କ ବଦଳି ପାଇଁ ୨୦୧୯, ଜାନୁଆରି ୧୦ରେ ସୁପାରିଶ କରିଥିଲେ। ଏହା ପରେ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପଟ୍ଟନାୟକଙ୍କ ବଦଳି ସଂପର୍କିତ ବିଜ୍ଞପ୍ତି ଜାନୁଆରି ୩୦ରେ ପ୍ରକାଶ ପାଇଥିଲା।

୧୯୫୯, ଜୁନ୍ ୧୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପ୍ରମଥ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ବିଜେବି କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୮୧ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ କରିବା ପରେ ଭୁବନେଶ୍ବରସ୍ଥିତ ୟୁନିଭରସିଟି ଲ’ କଲେଜରୁ ଆଇନ ଡିଗ୍ରି ହାସଲ କରିଥିଲେ। ସେ ୧୯୮୬ରେ ଆଇନଜୀବୀ ଭାବେ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସ୍ୟାଟ୍‌ରେ ଷ୍ଟାଣ୍ଡିଂ କାଉନସିଲ, ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍ ଭାବେ ନିଯୁକ୍ତି ପାଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଓ ଅତିରିକ୍ତି ସରକାରୀ ଓକିଲ ଭାବେ ମଧ୍ୟ ସେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର