ଜଷ୍ଟିସ ରଘୁବୀର ଦାଶ କମିସନ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଛି। ସେପ୍ଟେମ୍ବର ୭ରେ କମିସନଙ୍କ ୩ ମାସ କାର୍ଯ୍ୟକାଳ ଅବଧି ପୂରିବାକୁ ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଅସଂପୂର୍ଣ୍ଣ ରହିଛି। ଏପରି ପରିସ୍ଥିତିରେ କମିସନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି ପାଇଁ କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ଗୃହ ବିଭାଗ ସଚିବଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଇଛି। କମିସନଙ୍କ ନିକଟରେ ରାଜ୍ୟ ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ପୁରୀ ଟ୍ରେଜେରି ଅଫିସର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ବର୍ତ୍ତମାନର ଜିଲ୍ଲାପାଳ ଜେ.ପି.ଦାସ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି ଓ ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଥିଲେ। ସରକାରୀ ଅଧିକାରୀ ଦେଇଥିବା ସତ୍ୟପାଠ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ମଧ୍ୟ କମିସନଙ୍କ ନିକଟରେ ଦାଖଲ ହୋଇଛି। ସତ୍ୟପାଠ ଗୁଡିକୁ ଅନୁଧ୍ୟାନ କରାଯାଉଛି ଓ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ କମିସନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୮ ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୩ ମାସ ଧାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର