ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗ : ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ଦାଖଲ ହୋଇଛି ୧୦ ସତ୍ୟପାଠ, ୧୫ରେ ପରବର୍ତ୍ତୀ ବୈଠକ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଛି। ଚାବି ହଜିବା ନେଇ ତଦନ୍ତ ଚାଲିଥିବା ବେଳେ କମିସନଙ୍କ ତିନି ମାସିଆ କାର୍ଯ୍ୟକାଳ ଆଜି ଶେଷ ହେଉଥିଲା। ଗତ ସପ୍ତାହରେ ଆଉ ତିନି ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଏପରି ପରିସ୍ଥିତିରେ କମିସନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରି ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୩ ମାସ ଧାର୍ଯ୍ୟ କରାଯାଇଥିଲା। କମିସନଙ୍କ ନିକଟରେ ରାଜ୍ୟ ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ପୁରୀ ଟ୍ରେଜେରି ଅଫିସର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ବର୍ତ୍ତମାନର ଜିଲ୍ଲାପାଳ ଜେ.ପି.ଦାସ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି ଓ ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଛନ୍ତି। ସରକାରୀ ଅଧିକାରୀ ଦେଇଥିବା ସତ୍ୟପାଠ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ମଧ୍ୟ କମିସନଙ୍କ ନିକଟରେ ଦାଖଲ ହୋଇଛି। ସତ୍ୟପାଠ ଗୁଡିକୁ ଅନୁଧ୍ୟାନ କରାଯାଉଛି ଓ ଖୁବ୍‌ ଶୀଘ୍ର ତଦନ୍ତ ସଂକ୍ରାନ୍ତରେ କମିସନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ଦିନ କମିସନଙ୍କ ପରବର୍ତ୍ତୀ ବୈଠକ ବସିବ। ସେଥିରେ ସାକ୍ଷ୍ୟ ପ୍ରଦାନ ପ୍ରସଂଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ରଖିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର