ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ଜଷ୍ଟିସ୍‌ ରଘୁବୀର ଦାସ ହେଲେ ତଦନ୍ତ କମିସନ୍‌ ଅଧ୍ୟକ୍ଷ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବ। ଏହି ତଦନ୍ତ କମିସନ୍‌ର ଅଧ୍ୟକ୍ଷ ଭାବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାସଙ୍କୁ ନିଯୁକ୍ତି ଦିଆଯାଇଛି। କେଉଁ କେଉଁ ଦିଗରେ ନିର୍ଦ୍ଦିଷ୍ଟ ଭାବେ ତଦନ୍ତ ହେବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଦିନେ ଦୁଇ ଦିନ ଭିତରେ ଏ ନେଇ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ। ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୩ ମାସ ଭିତରେ ତଦନ୍ତ ସରିବ ବୋଲି କୁହାଯାଇଥିଲା। ଜଷ୍ଟିସ୍‌ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଗଣମାଧ୍ୟମରୁ ମୋ ନିଯୁକ୍ତି ସମ୍ପର୍କରେ ଜାଣିଲି। ସରକାରଙ୍କ ସହ ଆଲୋଚନା କଲା ପରେ ତଦନ୍ତର ଦିଗ ସ୍ପଷ୍ଟ ହେବ। ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାକୁ ଗୁରୁତର ସହ ନିଆଯାଇ ତଦନ୍ତ କରାଯିବ। ସୂଚନାଯୋଗ୍ୟ ଯେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ଦାସ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର