ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାମ ସରକାରଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ଜଷ୍ଟିସ୍‌ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ୍‌ ଗୋଗୋଇ ହିଁ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି କୁହାଯାଉଛି।

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତ ମାସ ଜଷ୍ଟିସ୍‌ ମିଶ୍ରଙ୍କୁ ପତ୍ର ଲେଖି ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କହିଥିଲେ। ଇତିମଧ୍ୟରେ ଜଷ୍ଟିସ୍‌ ମିଶ୍ର ଏହି ସୁପାରିସ ପଠାଇଥିବା ଜଣାପଡ଼ିଛି। ସରକାର ଯଦି ଜଷ୍ଟିସ୍‌ ଗୋଗୋଇଙ୍କ ନାମକୁ ଗ୍ରହଣ କରିନିଅନ୍ତି, ତେବେ ଜଷ୍ଟିସ୍‌ ଗୋଗୋଇ ଅକ୍ଟୋବର ୩ ତାରିଖରେ ଭାରତର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ୨୦୦୧ ଫେବ୍ରୁଆରିରେ ଜଷ୍ଟିସ୍‌ ଗୋଗୋଇ ଗୌହାଟୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୧ ଫେବ୍ରୁଆରି ୧୨ରେ ସେ ପଂଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୨ ଏପ୍ରିଲ୍‌ରେ ଜଷ୍ଟିସ୍‌ ଗୋଗୋଇ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର