ଜେଜେ ଆକ୍ଟ ମାମଲାରେ ସରକାରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ : ଜୁଭେନାଇଲ ଜଷ୍ଟିସ୍‌ (କେୟାର ଆଣ୍ଡ୍‌ ପ୍ରୋଟେକସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌) ଆକ୍ଟ (ଜେଜେ ଆକ୍ଟ)ରେ ଥିବା ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ମାମଲାରେ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜେଜେ ଆକ୍ଟ ଆଧାରରେ ଧାର୍ଯ୍ୟ କରାଯାଇଥିବା ୧୬ଟି ଗାଇଡ଼ଲାଇନ ପାଳନ ପ୍ରସଂଗରେ କଣ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ସେ ସଂପର୍କରେ ତଥ୍ୟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବେ। ସରକାରଙ୍କ ପକ୍ଷରୁ ଏଜିଏ ବିଷ୍ଣୁ ପ୍ରସାଦ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ୨୦୦୫ ମସିହାରେ ସଂପୂର୍ଣ୍ଣ ବେଉରା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ତେବେ ଏହି ଆଇନରେ କିଶୋରଙ୍କ ନିମନ୍ତେ ଗୁଡିଏ କଲ୍ୟାଣକାରୀ ବ୍ୟବସ୍ଥା ରହିଛି। କିଶୋରମାନଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଏହି ଆଇନରେ ଗୁରୁତ୍ୱାରୋପ କରାଯାଇଛି। ମାତ୍ର କୌଣସି ରାଜ୍ୟ ସରକାର ଜେଜେ ଆକ୍ଟରେ ଥିବା ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ କିଶୋରମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଦର୍ଶାଇଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ବିସ୍ତୃତ ଶୁଣାଣି ହୋଇଥିଲା। ୨୦୧୮, ଫେବ୍ରୁଆରି ୯ରେ ମାମଲାର ରାୟ ପ୍ରକାଶ କରିଥିଲେ।

ଜେଜେ ଆକ୍ଟରେ ଥିବା ବିଭିନ୍ନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗରେ ଦେଶର ସମସ୍ତ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଜେଜେ ଆକ୍ଟର ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଶିଶୁ, କିଶୋର ଓ ବିଭିନ୍ନ ଯୌନ ଅପରାଧର ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡ଼ିସିଆଲ) ଏହି ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର