ଚର୍ଚ୍ଚାରେ ଜ୍ୟୋତିଙ୍କ ପଦଯାତ୍ରା : ସିଦ୍ଧମହାବୀର ଲେବୁଲ କ୍ରସିଂ ଉପରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ଦାବିରେ ପୁରୀରୁ ଦିଲ୍ଲୀକୁ ଆରମ୍ଭ କରିଛନ୍ତି ପଦଯାତ୍ରା

ଭୁବନେଶ୍ୱର : ଅନେକ ସମୟରେ ଲୋକେ ନିଜର ବିଭିନ୍ନ ଦାବିକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି । ଏହା ସହ ଦାବି ପୂରଣ ହେବାର ଆଶା ମଧ୍ୟ ରଖିଥାନ୍ତି । କିନ୍ତୁ ପୁରୀରେ ରହୁଥିବା ଜ୍ୟୋତି ରଞ୍ଜନ ନାୟକ ଲୋକମାନଙ୍କ ଦାବିକୁ ପୂରଣ କରିବାକୁ ଏବେ ଦିଲ୍ଲୀକୁ ପଦଯାତ୍ରା ଆରମ୍ଭ କରିଛନ୍ତି । ପୁରୀରେ ଥିବା ସିଦ୍ଧମହାବୀର ଲେବଲ କ୍ରସିଂ ଉପରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ଦାବିରେ ସେ ନିଜର ପଦଯାତ୍ରା ଆରମ୍ଭ କରଛନ୍ତି । ୩୩ଦିନ ପୂର୍ବରୁ ସେ ପୁରୀରୁ ନିଜ ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସେ ବିହାରରେ ପହଞ୍ଚି ସାରିଥିବା ଜଣାପଡ଼ିଛି ।

ଫେସ୍‌ବୁକ୍‌ରେ ଜ୍ୟୋତି କରିଥିବା ପୋଷ୍ଟ ଅନୁଯାୟୀ, ‘ସିଦ୍ଧମହାବୀର ଲେବୁଲ କ୍ରସିଂ ପୁରୀ-କୋଣାର୍କ ମୁଖ୍ୟ ରାସ୍ତା ମଧ୍ୟରେ ପଡ଼ୁଥିବା ବେଳେ ଏହି ବାଟ ଦେଇ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟତ କରିଥାନ୍ତି । ପ୍ରତ୍ୟେକ ଦିନ ଏହି ଲେବଲ କ୍ରସିଂ ଦେଇ ୬୦ରୁ ଊର୍ଦ୍ଧ୍ୱ ଗାଡ଼ି ଯିବା ଆସିବା କରେ । ପ୍ରତି ୧୫ ମିନିଟ୍‌ରେ ଥରେ ରେଳଗାଡ଼ି ଯିବା ଆସିବା କରୁଥିବାରୁ ଏହି ଲେବଲ କ୍ରସିଂରେ ବେଳେ ବେଳେ ୫ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାନବାହାନ ଅଟକି ରହିଥାଏ । ଛାତ୍ର-ଛାତ୍ରୀମାନେ ଠିକ୍‌ ସମୟରେ ସ୍କୁଲରେ ନ ପହଞ୍ଚି ପାରିବା ସହ ଚାକିରିଆ ଲୋକେ ଅଫିସରେ ପହଞ୍ଚି ପାରନ୍ତି ନାହିଁ । ଏମିତି କି ପ୍ରବଳ ଭିଡ଼ରେ ଆମ୍ବୁଲାନ୍ସ ମଧ୍ୟ ଫସି ରହି ଯାଇଥାଏ । ଯାହାଦ୍ୱାରା ଅନେକ ରୋଗୀ ଆମ୍ବୁଲାନ୍ସ ମଧ୍ୟରେ ପ୍ରାଣ ହରାଇଥିବା ମୁଁ ଦେଖିଛି । ଏମିତି କି ମୋ ବାପା ଓ ମୋର ବଡ଼ ଭଉଣୀଙ୍କ ମୃତ୍ୟୁ ମଧ୍ୟ ସେହି ଲେବଲ କ୍ରସିଂ ପାଇଁ ହୋଇଥିଲା । ଗୋଟେ ବର୍ଷରେ ମୁଁ ମୋ ପରିବାରର ଦୁଇଜଣଙ୍କୁ ହରାଇବାର ଦୁଃଖ ସହିଛି ।’

ଏଥିସହ ସେ କହନ୍ତି, ‘୫୦ବର୍ଷ ହେଲାଣି ଏହି ସମସ୍ୟାକୁ ସାମ୍ନା କରି ଆସୁଛନ୍ତି ଲୋକେ । ଏ ନେଇ ଆନ୍ଦୋଳନ କରି କରି ଥକିବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ବିଷୟରେ ଆମର ଜନ ଜାଗରଣ ମଞ୍ଚ ଚିନ୍ତା କରିଥିଲା । ଫେବ୍ରୁଆରି ୧୦ରୁ ଆମେ ଲେବୁଲ କ୍ରସିଂରେ ଘଣ୍ଟା ଘଣ୍ଟା ଠିଆ ହେଉଥିବା ଲୋକଙ୍କଠାରୁ ଦସ୍ତଖତ ନେବା ଆରମ୍ଭ କରିଥିଲୁ । ଆମର ଏଭଳି ପଦକ୍ଷେପ ଦେଖି ମାର୍ଚ୍ଚ ୩, ୨୦୧୯ରେ ହଠାତ୍‌ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଓ ପୁରୀର ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଫ୍ଲାଏଓଭର ପାଇଁ ୫୩କୋଟି ୮୦ଲକ୍ଷ ୩୫୦ଟଙ୍କା ମଞ୍ଜୁର ହୋଇଛି ବୋଲି ଘୋଷଣା କରିଥିଲେ । ସେ ମଧ୍ୟରୁ ୨୦କୋଟି ଟଙ୍କା ଜମି ଅଧିଗ୍ରହଣ ପାଇଁ ଯିବା ସହ ସମସ୍ତ ଗୃହ ବାସିନ୍ଦାଙ୍କୁ ନୋଟିସ ପଠାଯିବ ବୋଲି କହିଥିଲେ ।’

ଜ୍ୟୋତିଙ୍କ କହିବା ଅନୁସାରେ, ‘ମାସ ପରେ ମାସ ଗଡ଼ି ଚାଲିଥିଲେ ମଧ୍ୟ ଖଣ୍ଡେ ଇଟା ବି ପଡ଼ି ପାରିଲା ନାହିଁ । ଏ ମଧ୍ୟରେ ଆମେ ଆମର ଦସ୍ତଖତ ଅଭିଯାନ ଜାରି ରହିଥିବା ବେଳେ ୧ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରିଥିଲୁ । ଏହା ପରେ ଜନଜାଗରଣ ମଞ୍ଚର ୫ଜଣ ସଦସ୍ୟଙ୍କୁ ନେଇ ଆମେ ରାଜ୍ୟପାଳଙ୍କୁ ଭେଟିଥିଲୁ । କିନ୍ତୁ ସେଥିରୁ ମଧ୍ୟ କୌଣସି ଲାଭ ମିଳିଲା ନାହଁ । ପରେ ଏ ନେଇ ମୁଁ ପୁରୀର ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଇଞ୍ଜିନିୟର ପ୍ରମୋଦ ଦାସଙ୍କୁ ଭେଟି କାମ କେତେ ବାଟ ଗଲା ବୋଲି ପଚାରିଥିଲି । କିନ୍ତୁ କେନ୍ଦ୍ର ଅବହେଳା ହେତୁ କାମ ଅଟକିଥିବା କହି ସେ ମୋତେ ଯିବା ପାଇଁ କହିଥିଲେ । ଏହା ପରେ ମୁଁ କେନ୍ଦ୍ରକୁ ଲୋକଙ୍କ ଦାବି ପହଞ୍ଚାଇବା କଥା ଚିନ୍ତା କରି ମୋର ପଦଯାତ୍ରା ଆରମ୍ଭ କରିଥିଲି । ଆଶା କରୁଛି ମୋଦୀଜୀଙ୍କୁ ଭେଟିବା ପରେ ଲୋକ ଏତେ ବର୍ଷର ସମସ୍ୟାର ସମାଧାନ ହୋଇ ପାରିବ ।’

ସମ୍ବନ୍ଧିତ ଖବର