କେ. ମାଧବୀ ସାମୟିକ ଆଶ୍ୱସ୍ତ

ବ୍ରହ୍ମପୁର ମେୟର ସଭ୍ୟପଦ ରଦ୍ଦ ମାମଲା

କଟକ: ବ୍ରହ୍ମପୁର ମହାନଗର ନିଗମର ମେୟର କେ.ମାଧବୀଙ୍କ ସଭ୍ୟପଦ ରଦ୍ଦ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ତଥା ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସି.ଆର୍‌.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି କେ.ମାଧବୀଙ୍କ ପକ୍ଷରୁ ଦାୟର ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ପ୍ରଶାନ୍ତ କୁମାର ନନ୍ଦ ତାଙ୍କୁ ସହାୟତା କରୁଛନ୍ତି। ମେୟର ମାଧବୀଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗରେ ହାଇକୋର୍ଟ ରହିତାଦେଶ ଜାରି କରିବା ପରେ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବ ଭଳି ସେ ନିଜ ପଦ ବଜାୟ ରଖିବେ। ସୂଚନା ଯୋଗ୍ୟ ଯେ ୨୦୧୪ରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ବ୍ରହ୍ମପୁର ମେୟର କେ.ମାଧବୀଙ୍କ ବିରୋଧରେ ପୂର୍ବତନ ମେୟର ଶ୍ରୀ ଦାଶ ଆବେଦନ ଦାୟର କରିଥିଲେ। ମେୟର ମାଧବୀ ମିଥ୍ୟା ସତ୍ୟପାଠ ଦେଇଥିବା ଏବଂ ସେ ଓଡ଼ିଆ ଲେଖି ପଢି ପାରୁ ନଥିବା ସହ ତାଙ୍କର ଦୁଇ ଜଣ ସ୍ୱାମୀ ଥିବା ନେଇ ଶ୍ରୀ ଦାଶ ଆବେଦନରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର